ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ସରକାର ଆକ୍ସନରେ ଅଛନ୍ତି। ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ଉପରେ ନିର୍ବାଚିତ ସରକାରଙ୍କ ନିୟନ୍ତ୍ରଣ ରହିଛି ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ନେବାର କିଛି ଘଣ୍ଟା ପରେ ଦିଲ୍ଲୀ ସରକାର ସେବା ସଚିବ ( ସର୍ଭିସେସ ସେକ୍ରେଟାରି) ଆଶିଷ ମୋରେଙ୍କୁ ହଟାଇ ଦେଇଛନ୍ତି । ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଦିଲ୍ଲୀ ସେବା ମନ୍ତ୍ରୀ ସୌରଭ ଭରଦ୍ୱାଜ ସେବା ସଚିବ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଆଶିଷ ମୋରେଙ୍କୁ ସେବା ସଚିବ ପଦରୁ ହଟାଇ ଦିଆଯାଇଛି । ଅନୀଲ କୁମାର ସିଂହ ହେବେ ଦିଲ୍ଲୀର ନୂଆ ସଚିବ । ସିଂହ ହେଉଛନ୍ତି ୧୯୯୫ ବ୍ୟାଚ୍ ର ଆଇଏଏସ୍ ଅଫିସର। ସେ ଜଳ ବୋର୍ଡର ସିଇଓ ଥିଲେ ।
ବଦଳି ଓ ପୋଷ୍ଟିଂ ଉପରେ ନିୟନ୍ତ୍ରଣ ରଖିବାକୁ ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟି (ଆପ୍) ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର କିଛି ଘଣ୍ଟା ପରେ ଦିଲ୍ଲୀ ସରକାର ସେବା ବିଭାଗ ସଚିବ ଆଶିଷ ମୋରେଙ୍କୁ ତାଙ୍କ ପଦରୁ ହଟାଇ ଦେଇଥିଲେ ।
ଜନଶୃଙ୍ଖଳା, ପୁଲିସ ଓ ଜମି ଭଳି ମାମଲା ବ୍ୟତୀତ ଅନ୍ୟାନ୍ୟ ସେବା ସମ୍ବନ୍ଧରେ ଦିଲ୍ଲୀ ସରକାରଙ୍କ ପାଖରେ ଆଇନଗତ ଓ ସରକାରୀ କ୍ଷମତା ରହିଛି ବୋଲି ସୁପ୍ରିମ୍ କୋର୍ଟ ଗୁରୁବାର ରାୟ ଶୁଣାଇଛନ୍ତି । ଏହାକୁ ଆପ ଓ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଛି ।