ନୂଆଦିଲ୍ଲୀ: ମୋଦୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବସିବା ଶୈଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କନଫରେନ୍ସ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟବହାରକୁ ନେଇ ବିବାଦ ଉପୁଜିଛି। କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ମଧ୍ୟ ଏହି ବିବାଦକୁ ନେଇ କଟାକ୍ଷ କରିଛନ୍ତି |

Advertisment


ଏଭଳି ବସିବା ଶୈଳୀ ପାଇଁ ବିଜେପି କେଜ୍ରିୱାଲଙ୍କ ଉପରେ ଆକ୍ରମଣ କରିଥିବା ବେଳେ, ଥରୁର ଉଭୟ ବିଜେପି ଏବଂ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରିଛନ୍ତି | ଏହି ଘଟଣାକୁ ନେଇ ବିଜେପି କହିଛି ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ଅଶିଷ୍ଟ ବ୍ୟବହାର କରିବାର ନ ଥିଲା |

ସେହିପରି ବିଜେପିର ସୋସିଆଲ ମିଡ଼ିଆର ଦାୟିତ୍ୱରେ ଥିବା ପ୍ରଭାରୀ ଅମିତ ମାଲବିୟ ଏହି ବୈଠକ ସହ ଜଡିତ ଏକ ଭିଡିଓ ଟୁଇଟ୍ କରି କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ନିଜର ଅଭଦ୍ର ତଥା ବିଚିତ୍ର ଆଚରଣ ଦ୍ୱାରା କ୍ରମାଗତ ଭାବରେ ନିଜକୁ ନିଜେ ଅପମାନିତ କରୁଛନ୍ତି | ଏହି ଭିଡିଓରେ ଅରବିନ୍ଦ କେଜ୍ରିୱାଲ କପାଳ ପଛରେ ଦୁଇ ହାତରେ ଆରାମରେ ବସିଥିବାର ନଜର ଆସିଥିଲେ | ସେହିପରି ବିଜେପି ମୁଖପାତ୍ର ଶାହାଜାଦ ପୁନାୱାଲା ପ୍ରଶ୍ନ କରିଛନ୍ତି ଯେ ବୈଠକକୁ ନେଇ କେଜ୍ରିୱାଲ ବିରକ୍ତ ହୋଇଯାଇଛନ୍ତି ନା ଅଭଦ୍ରାମି ଦେଖାଇଛନ୍ତି ତାହା ସ୍ପଷ୍ଟ ହେବା ଦରକାର।

ସୂଚନା ମୁତାବକ ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ | ଅନ୍ୟ ମୁଖ୍ୟମନ୍ତ୍ରୀମାନେ ମୋଦୀଙ୍କ କଥା ଶୁଣୁଥିବା ବେଳେ କେଜ୍ରିୱାଲ କିନ୍ତୁ ଭିନ୍ନ ଢଙ୍ଗରେ ବସିଥିବାର ନଜର ଆସିଥିଲେ |