ନୂଆଦିଲ୍ଲୀ: ଦିଲ୍ଲୀ ଅବାକରୀ ନୀତି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୁଣିଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ପଠାଇଛି। କେଜ୍ରିୱାଲଙ୍କ ପାଖକୁ ପଠାଯାଇଥିବା ତୃତୀୟ ସମନରେ ଜାନୁଆରି ୩ରେ ତାଙ୍କୁ ହାଜର ହେବାକୁ କହିଛି ଇଡି।

Advertisment

ଏହାପୂର୍ବରୁ ସୋମବାର (ଡିସେମ୍ବର ୧୮)ରେ ଇଡି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଦ୍ୱିତୀୟ ସମନ ପଠାଇ ଡିସେମ୍ବର ୨୧ରେ ପଚରାଉଚରା ପାଇଁ ହାଜର ହେବାକୁ କହିଥିଲା। ହେଲେ ସେ ଅଧିକାରୀଙ୍କ ନିକଟରେ ହାଜର ନହେବାକୁ ସ୍ଥିର କରି ୧୦ଦିନିଆ ବିପାସନା ଧ୍ୟାନ ଶିବିରକୁ ଯାଇଥିଲେ। ଦ୍ବିତୀୟ ସମନ ପାଇ ହାଜର ନହେବା ପରେ ଇଡି ଆଜି ପୁଣି ତୃତୀୟ ସମନ ଜାରି କରିଛି।

ଏହାପୂର୍ବରୁ କେନ୍ଦ୍ରୀୟ ଏଜେନ୍ସି ଇଡି ନଭେମ୍ବର ୨ରେ କେଜ୍ରିୱାଲଙ୍କୁ ପ୍ରଥମ ସମନ ପଠାଇଥିଲା। କିନ୍ତୁ ସେ ଏହି ନୋଟିସକୁ ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ହାଜର ହୋଇନଥିଲେ। ଏବେ ତୃତୀୟ ସମନ ପାଇବା ପରେ କେଜ୍ରିୱାଲ କ’ଣ ପ୍ରତିକ୍ରିୟା ଦେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।

ତେବେ ଗତ ଏପ୍ରିଲ ୧୬ରେ କେଜ୍ରିୱାଲଙ୍କୁ ସିବିଆଇ ଏହି ମାମଲାରେ ୯ ଘଣ୍ଟାରୁ ଅଧିକ ସମୟ ଧରି ‌ପଚରାଉଚରା କରିଥିଲା। ଏହି ମାମଲାରେ ଆପ୍‌ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ସାଂସଦ ସଂଜୟ ସିଂହ ଜେଲ୍‌ରେ ଅଛନ୍ତି।