ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବିମାନରେ ଦେଶର ବିଭିନ୍ନ ପ୍ରାନ୍ତକୁ ଯିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗସ୍ତ ସମୟରେ ଭଗୱନ୍ତ ମାନ୍ଙ୍କୁ ସାଥିରେ ନେଉଛନ୍ତି ବୋଲି ବୁଧବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମାଲୋଚନା କରି କହିଛନ୍ତି।
ଦିଲ୍ଲୀ ‘ବିଜେପି’ଦ୍ବାରା ଆୟୋଜିତ ‘ସର୍ବ ସମାଜ ସମ୍ମେଳନ’ରେ ଉଦ୍ବୋଧନ ଦେବା ବେଳେ ଅର୍ଥମନ୍ତ୍ରୀ ସୀତାରମଣ ଉପରୋକ୍ତ ଟିପ୍ପଣୀ ଦେବା ସହିତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ବିଶ୍ବରେ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ପାରିଛି ଏବଂ ଆଗାମୀ ବର୍ଷମାନଙ୍କରେ ଏମିତି ହୋଇ ଚାଲିଥିବ।
କେଜ୍ରିୱାଲ୍ଙ୍କୁ ତୀବ୍ର ସମାଲୋଚନା କରି ସୀତାରମଣ କହିଛନ୍ତି, ଗରିବ କଲ୍ୟାଣ ନିମନ୍ତେ ଥିବା ଅର୍ଥକୁ କେଜ୍ରିୱାଲ୍ ନିଜ ‘ଶୀଶ୍ ମହଲ’ (କାଚଘର) ନିର୍ମାଣ କାର୍ଯ୍ୟରେ ବ୍ୟୟ କରୁଛନ୍ତି। ସୂଚନାଯୋଗ୍ୟ, କେଜ୍ରିୱାଲ୍ଙ୍କ ସରକାରୀ ବାସଭବନ ନବୀକରଣରେ ହୋଇଥିବା ଆର୍ଥିକ ଅନିୟମିତତା ପ୍ରତି ଉଦ୍ଦେଶ୍ୟ କରି ସୀତାରମଣ ଏଭଳି କହିଛନ୍ତି।
ସେ କହିଛନ୍ତି, ବିମାନରେ ଯାତାୟାତ କରିବା ଲାଗି ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କୁ ସବୁ ବେଳେ ନିଜ ପାଖେ ପାଖେ ରଖୁଛନ୍ତି। ଏହି ବିମାନ ବାବଦ ଖର୍ଚ୍ଚ ଭରଣା ହେଉଛି ପଞ୍ଜାବବାସୀ ଦେଉଥିବା ଟିକସଦ୍ବାରା। ଦିନେ କେଜ୍ରିୱାଲ୍ ଶରଦ ପାୱାର ଏବଂ ଲାଲୁ ଯାଦବଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହୁଥିଲେ। କିନ୍ତୁ, ବିରୋଧୀ ଦଳମାନଙ୍କୁ ଏକତ୍ର କରିବା ଉଦ୍ଦେଶ୍ୟରେ ଏବେ ସେ ସେମାନଙ୍କୁ ଭେଟୁଛନ୍ତି।
କିନ୍ତୁ, ଏ ସଂକ୍ରାନ୍ତରେ କେଜ୍ରିୱାଲ୍ ସରକାର ଅଥବା ‘ଆପ୍’ ହଠାତ୍ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରି ନାହାନ୍ତି।