ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚାର୍ଜସିଟ୍ରେ ଉଲ୍ଲେଖ କରାଯାଇଛି ଯେ ଦିଲ୍ଲୀ ମଦନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍) ୧୦୦ କୋଟି ଟଙ୍କା ଲାଞ୍ଚ ନେଇଛି ଏବଂ ଏଥିରେ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସିଧାସଳଖ ସମ୍ପୃକ୍ତ ଅଛନ୍ତି। ଇଡିର କହିବା ଅନୁଯାୟୀ କେଜ୍ରିଵାଲ ‘ସାଉଥ୍ ଗ୍ରୁପ୍’ର ସଦସ୍ୟ ଏବଂ ବିଜୟ ନାୟାର ପ୍ରଭୃତିଙ୍କ ସହ ମିଶି ୧୦୦ କୋଟି ଟଙ୍କାର ଲାଞ୍ଚ ନେବାକୁ ଷଡ଼୍ଯନ୍ତ୍ର କରିଥିଲେ। ନାୟାର କେଜ୍ରିୱାଲ ଓ ଆପ୍ର ଶୀର୍ଷ ନେତାଙ୍କ ତରଫରୁ କାର୍ଯ୍ୟ କରୁଥିଲେ। ଏହି ପରିପ୍ରେକ୍ଷୀରେ ଅରବିନ୍ଦ କେଜ୍ରିଵାଲ ସିଧାସଳଖ, ଜାଣିଶୁଣି ଓ ବାସ୍ତବଭାବରେ ଏହି କାମରେ ସମ୍ପୃକ୍ତ ବୋଲି ଇଡି ଚାର୍ଜସିଟ୍ରେ ଦର୍ଶାଯାଇଛି। ଇଡି ଆହୁରି ଦାବି କରିଛି ଯେ କେଜ୍ରିୱାଲଙ୍କ ସମର୍ଥନରେ ଆପ୍ ଏହି ୧୦୦ କୋଟି ଟଙ୍କାରୁ ପ୍ରାୟ ୪୫ କୋଟି ଟଙ୍କା ଗୋଆ ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରିଥିଲା।
ଚାର୍ଜସିଟ୍ରେ କୁହାଯାଇଛି ଯେ ଅରବିନ୍ଦ କେଜ୍ରିୱାଲ ଏହି ଟଙ୍କାକୁ ନଗଦ/ହାୱାଲା ଟ୍ରାନ୍ସଫର ମାଧ୍ୟମରେ ବ୍ୟବହାର କରି ଅପରାଧକୁ ଲୁଚାଇଛନ୍ତି। ତେଣୁ ସେ ପ୍ରକୃତରେ ଓ ଜାଣିଶୁଣି ମନିଲଣ୍ଡରିଂ ଅପରାଧ ସହିତ ଜଡିତ କାର୍ଯ୍ୟକଳାପ, ଯଥା- କିକ୍ବ୍ୟାକ୍(ଲାଞ୍ଚ) ସୃଷ୍ଟି, ଟଙ୍କାଗ୍ରହଣ, ହାସଲ, ଲୁଚାଇବା, ସ୍ଥାନାନ୍ତର, ବ୍ୟବହାର ଏବଂ ପିଏମ୍ଏଲ୍ଏ, ୨୦୦୨ର ଧାରା ୩ ଅନୁଯାୟୀ ଏହାକୁ କଳଙ୍କହୀନ ବୋଲି ଦାବି କରିବାରେ ପ୍ରତ୍ୟକ୍ଷ ଭାବେ ଲିପ୍ତ ଅଛନ୍ତି। ଇଡି ଚାର୍ଜସିଟ୍ରେ ଉଲ୍ଲେଖ କରାଯାଇଛି ଯେ ହାୱାଲା ମାଧ୍ୟମରେ ଗୋଆରେ ପହଞ୍ଚିଥିବା ଟଙ୍କା ଚାରିଅଟ୍ ପ୍ରଡକ୍ସନର ଜଣେ କର୍ମଚାରୀ ଚନପ୍ରୀତ ସିଂହ ପରିଚାଳନା କରୁଥିଲେ। ଏଥିପାଇଁ ଆପ୍ର ଗୋଆ ଅଭିଯାନରେ ଫ୍ରିଲାନ୍ସ ଭିତ୍ତିରେ ଯୋଗ ଦେଇଥିବା ସିଂହଙ୍କୁ ଦଳ ପକ୍ଷରୁ ବିପୁଳ ଅର୍ଥ ପ୍ରଦାନ କରାଯାଇଥିଲା।
କେଜ୍ରିଵାଲ ଓ ଆପ୍ ନେତା ମନିଷ ସିସୋଦିଆଙ୍କ ପୂର୍ବତନ ସଚିବ ସି ଅରବିନ୍ଦଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ମଧ୍ୟ ଏଜେନ୍ସି ଉଦାହରଣ ଦେଇ କହିଛି ଯେ ମୁଖ୍ୟମନ୍ତ୍ରୀ ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରିଥିଲେ। ବିପୁଳ ପରିମାଣର ପ୍ରମାଣ ନଷ୍ଟ ହୋଇଥିବା ମଧ୍ୟ ଏଜେନ୍ସି ଦାବି କରିଛି। କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବିନୋଦ ଚୌହାନ ହାୱଲା ବ୍ୟବସାୟୀଙ୍କ ସହ ସିଧାସଳଖ ଯୋଗାଯୋଗ କରିଥିଲେ ବୋଲି ଇଡି ଚାର୍ଜସିଟ୍ରେ ଉଲ୍ଲେଖ କରିଛି। ଇଡିର ତଦନ୍ତରୁ ଜଣାପଡିଛି ଯେ ଚୌହାନ ଗୋଆ ନିର୍ବାଚନ ପାଇଁ ହାଵାଲା ବାଟ ଦେଇ ୨୫ କୋଟି ଟଙ୍କା ସ୍ଥାନାନ୍ତର କରିଥିଲେ। ଚଳିତ ବର୍ଷ ମେ ମାସରେ ଏଜେନ୍ସି ତାଙ୍କୁ ଗିରଫ କରିଥିଲା। ସାଉଥ୍ ଗ୍ରୁପର ଅଭିଷେକ ବୋଇନପଲ୍ଲୀ ଅନ୍ୟତମ ଅଭିଯୁକ୍ତ ଅଶୋକ କୌଶିକଙ୍କୁ ଦୁଇ ବ୍ୟାଗ୍ ନଗଦ ଟଙ୍କା ଦେଇଥିଲେ, ଯାହା ଚୌହାନଙ୍କ ପାଖକୁ ଯାଇଥିଲା। ଦିଲ୍ଲୀର ଏକ ଅଦାଲତ ଚାର୍ଜସିଟ୍କୁ ଗ୍ରହଣ କରି କେଜ୍ରିୱାଲଙ୍କୁ ଜୁଲାଇ ୧୨ରେ ହାଜର ହେବାକୁ ୱାରେଣ୍ଟ ଜାରି କରିଛନ୍ତି। ଇଡି ଦ୍ୱାରା ‘କିଙ୍ଗପିନ୍’ ଭାବେ ଅଭିହିତ କେଜ୍ରିଵାଲ ୩୭ତମ ଅଭିଯୁକ୍ତ ହୋଇଥିବା ବେଳେ ଆପ୍କୁ ଚାର୍ଜସିଟ୍ରେ ୩୮ତମ ଅଭିଯୁକ୍ତ ଭାବେ ଉଲ୍ଲେଖ କରାଯାଇଛି।