କେଜରିୱାଲ ଆରମ୍ଭ କଲେ ‘ମେକ୍ ଇଣ୍ଡିଆ ନଂ.୧’ ମିସନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)ର ଜାତୀୟ ଆବାହକ ଅରବିନ୍ଦ କେଜରିୱାଲ ବୁଧବାର ଭାରତକୁ ନମ୍ବର ୱାନ୍ କରିବା ପାଇଁ ‘ମେକ୍ ଇଣ୍ଡିଆ ନଂ.୧’ ଅଭିଯାନ ଘୋଷଣା କରିଛନ୍ତି ଏବଂ ଏଥିପାଇଁ ସ୍ବାସ୍ଥ୍ୟସେବା, ଶିକ୍ଷା, କୃଷି ଓ ନିଯୁକ୍ତି ଉପରେ ଗୁରୁତ୍ବ ଦେଇଛନ୍ତି। ଦିଲ୍ଲୀରେ ଏକ ସମାବେଶକୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ ସ୍ବାଧୀନତା ପରଠାରୁ ଭାରତ ଅନେକ କିଛି ସଫଳତା ଅର୍ଜନ କରିଛି କିନ୍ତୁ ଏବେ ବି ଅନେକ ଦେଶଠାରୁ ପଛୁଆ ରହିଛି ଯେଉଁମାନେ ପରେ ସ୍ବାଧୀନତା ଲାଭ କରିଥିଲେ। ଆମକୁ ଭାରତକୁ ବିଶ୍ବରେ ନମ୍ବର ୱାନ୍ ଦେଶ ଭାବେ ଗଢ଼ିତୋଳିବାକୁ ପଡ଼ିବ। ଆମେ ଆଜି ‘ମେକ୍ ଇଣ୍ଡିଆ ନଂ.୧’ ନାମରେ ଏକ ଜାତୀୟ ମିସନ ଆରମ୍ଭ କରୁଛୁ। ୧୩୦ କୋଟି ଲୋକଙ୍କ ଦେଶ ଭାରତର ପ୍ରତ୍ୟେକ ନାଗରିକ ଏହି ଅଭିଯାନ ସହ ଯୋଡ଼ିହେବା ଆବଶ୍ୟକ। କେଜିୱାଲ କହିଲେ ଯେ ଭାରତକୁ ନମ୍ବର ୱାନ୍ କରିବାକୁ ହେଲେ ସ୍କୁଲ, ହସ୍ପିଟାଲ ଖୋଲିବାକୁ ହେବ ଏବଂ ଯୁବକମାନଙ୍କୁ ନିଯୁକ୍ତି ଦେବାକୁ ହେବ। ସେ କହିଛନ୍ତି ଯେ ସବୁ ରାଜନୈତିକ ଦଳ ଏହାକୁ ସଫଳ କରିବା ପାଇଁ ହାତ ମିଳାଇବା ଦରକାର।

ସମ୍ବନ୍ଧିତ ଖବର