ତେଜିଲା କେଜ୍ରିୱାଲ-ଏଲ୍‌ଜି ଲଢ଼େଇ: ଆପ୍‌ କାର୍ଯ୍ୟକ୍ରମକୁ କେନ୍ଦ୍ର ହାଇଜାକ୍ କରିଥିବା ଅଭିଯୋଗ

କେଜ୍ରିୱାଲ ଯୋଗ ଦେଲେନି

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ବନମହୋତ୍ସବ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପରାଜ୍ୟପାଳ ଭିକେ ସାକ୍ସେନା ପୁଣି ମୁହାଁମୁହିଁ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଆପ୍‌ ସରକାରର ଏହି କାର୍ଯ୍ୟକ୍ରମକୁ ହାଇଜାକ୍ କରାଯାଇଥିବା ଏବଂ ପ୍ରଧାନମନ୍ତ୍ରୀଙ୍କ ବଡ଼ ଫଟୋ ଥିବା ନୂଆ ପୋଷ୍ଟର ଲଗାଯାଇଥିବା ଆମ୍ ଆଦ୍‌ମୀ ପାର୍ଟି ଅଭିଯୋଗ କରିଛି। ଅସୋଲା ଭଟ୍ଟୀ ବନ୍ୟ ଅଭୟାରଣ୍ୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆଜି କେଜ୍ରିୱାଲ ଏହି କାରଣରୁ ଯୋଗ ଦେଇନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରି ସେଠାରେ ନୂଆ ଡେକୋରେସନ କରି ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ପୋଷ୍ଟର ଲଗାଯାଇଛି ବୋଲି ଆପ୍‌ ଅଭିଯୋଗ କରିଥିଲା।

ଅନେକ ପୁଲିସ କର୍ମୀଙ୍କୁ ବି ସେଠାରେ ମୁତୟନ କରି ଉକ୍ତ ପୋଷ୍ଟରକୁ ସୁରକ୍ଷା ଦିଆଯାଇଥିଲା ବୋଲି ଆପ୍‌ ନେତା ଗୋପାଳ ରାୟ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା ଏବଂ ସବୁ ପ୍ରସ୍ତୁତି ସରିଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମକୁ ପିଏମ୍‌ଓ ନିର୍ଦ୍ଦେଶରେ ହାଇଜାକ୍ କରାଯାଇଥିବା ଅଭିଯୋଗ କରି କେଜ୍ରିୱାଲ ସଭାକୁ ନଯିବାରୁ ଉପରାଜ୍ୟପାଳ ଚିନ୍ତା ପ୍ରକଟ କରିଛନ୍ତି। ଭବିଷ୍ୟତରେ ଏଭଳି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଆସିବା ଉଚିତ ବୋଲି ସେ କହିଛନ୍ତି। କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ଏଭଳି ମିଳିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ବର୍ଜନ କରିବା ଠିକ୍‌ ନୁହେଁ ବୋଲି ଉପରାଜ୍ୟପାଳ ମତ ରଖିଛନ୍ତି। ସୂଚନାଯୋଗ୍ୟ, ଗତ ମେ ମାସରେ କାର୍ଯ୍ୟରେ ଯୋଗ ଦେଇଥିବା ଉପରାଜ୍ୟପାଳ ସାକ୍ସେନାଙ୍କ ସହ ଆପ୍‌ର ମୁହାଁମୁହିଁ ଆରମ୍ଭ ହୋଇଯାଇଛି। କେଜ୍ରିୱାଲଙ୍କ ସିଙ୍ଗାପୁର ଗସ୍ତକୁ ଏଲ୍‌ଜି ଅନୁମତି ଦେଇନଥିବା ବେଳେ ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ବିରୋଧରେ ସିବିଆଇ ତଦନ୍ତ କରିବାକୁ ଆଦେଶ ଦେଇଛନ୍ତି।

ଉପରାଜ୍ୟପାଳ ସାକ୍ସେନାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ ଉପରାଜ୍ୟପାଳ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବନ ମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଳିତ ହେବାର ଥିଲା। ଜୁଲାଇ ୪ରେ ଏକ ଲକ୍ଷ ବୃକ୍ଷ ରୋପଣ କରାଯିବ ବୋଲି ସ୍ଥିର ହୋଇଥିଲା। ତେବେ ଅବକାରୀ ନୀତିରେ ବ୍ୟାପକ ଉଲ୍ଲଂଘନ ନେଇ ସିବିଆଇ ତଦନ୍ତ ଆଦେଶ ଦିଆଯିବାରୁ ମୁଖ୍ୟମନ୍ତ୍ରୀ ଉକ୍ତ ପରିବେଶ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି।

ସମ୍ବନ୍ଧିତ ଖବର