କୃଷକ ଆନ୍ଦୋଳନରେ ମୃତ ଚାଷୀଙ୍କ ପରିବାରକୁ ଭେଟି ୩ଲକ୍ଷ ଟଙ୍କାର ଚେକ୍ ଦେବେ କେଜ୍ରିୱାଲ ଓ କେସିଆର

ନୂଆଦିଲ୍ଲୀ:  କୃଷକ ଆନ୍ଦୋଳନ ଶେଷ ହେବା ସହ କେନ୍ଦ୍ର ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର କରିସାରିଛନ୍ତି। ଆଇନ ପ୍ରତ୍ୟାହାର ପରେ କୃଷକ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାରକୁ ଭେଟିବା ପାଇଁ ଆଜି ଚଣ୍ଡିଗଡ଼ ଗସ୍ତ କରିଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଚଣ୍ଡିଗଡ଼ ଯାଇ ପୀଡ଼ିତ ପରିବାରକୁ ଭେଟିବେ। କୁହାଯାଉଛି ଯେ, ଏହି ୨ ମୁଖ୍ୟମନ୍ତ୍ରୀ ପ୍ରାୟ ୬୦୦କୃଷକଙ୍କ ପରିବାରକୁ ଭେଟିବେ ଏବଂ ପ୍ରତି ପୀଡ଼ିତଙ୍କ ପରିବାରକୁ ୩ଲକ୍ଷ ଟଙ୍କାର ଚେକ୍ ଦେବେ।

ଅନ୍ୟପକ୍ଷରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଗଲୱାନ ଉପତ୍ୟକାରେ ସହିଦ ହୋଇଥିବା ସୈନିକଙ୍କ ପରିବାରକୁ ଭେଟିବେ ବୋଲି ଜଣାପଡ଼ିଛି। ଏହି ସମୟରେ ଶୋକସନ୍ତପ୍ତ ପରିବାରକୁ ଆର୍ଥିକ ସହାୟତା ଭାବରେ ଚେକ୍ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମାନ୍। କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କାର ଚେକ୍ ଦେବେ। ଏହି ସମୟରେ ତାଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଉପସ୍ଥିତ ରହିବେ।

ଏହାପୂର୍ବରୁ କେସିଆର କେଜ୍ରିୱାଲଙ୍କ ସହ ଏକ ବୈଠକ କରିଥିଲେ। ବୈଠକ ଶେଷ ହେବା ପରେ ଉଭୟ ନେତା ଚଣ୍ଡିଗଡ଼ ଗସ୍ତରେ ଯାଇଥିଲେ। ଚଣ୍ଡିଗଡ଼ ଗସ୍ତ ପୂର୍ବରୁ ଶନିବାର ଦିନ କେସିଆର ଦିଲ୍ଲୀର ମୋତିବାଗ ଅଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟରେ ପହଞ୍ଚିବା ସହ ଆମ୍ ଆଦମୀ ପାର୍ଟି ସରକାରଙ୍କ ଦ୍ୱାରା ସର୍ବଶିକ୍ଷା ବ୍ୟବସ୍ଥାରେ କରାଯାଇଥିବା ସଂସ୍କାରର ସମୀକ୍ଷା କରିଥିଲେ। କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ରାଓ ଏବଂ ତାଙ୍କ ଦଳର ନେତାମାନଙ୍କୁ ସ୍ୱାଗତ କରିଥିଲେ ଏବଂ ସେମାନଙ୍କୁ ବିଦ୍ୟାଳୟ ପରିଦର୍ଶନ କରିବାକୁ କହିଥିଲେ।

ସମ୍ବନ୍ଧିତ ଖବର