ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦ୍ମୀ ପାର୍ଟି (ଏଏପି) ଆସନ୍ତା ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବ। ଗୁରୁବାର କେଜ୍ରିୱାଲ ପଞ୍ଜାବରେ ତାଙ୍କ ଦଳ ଜିତିଲେ ଦିଲ୍ଲୀ ଢାଞ୍ଚାରେ ସ୍ବାସ୍ଥ୍ୟ ଗ୍ୟାରେଣ୍ଟି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥି ସହ ସେ ଆଉ ଛଅଟି ଘୋଷଣା ମଧ୍ୟ କରିଛନ୍ତି। ଗୁରୁବାର ପଞ୍ଜାବର ଲୁଧିଆନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କେଜ୍ରିୱାଲ କହିଲେ ଯେ, ଚଣ୍ଡୀଗଡ଼ସ୍ଥିତ ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ପିଜିଆଇଏମ୍ଇଆର୍) ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛି। ତାଙ୍କ ଦଳ କ୍ଷମତାକୁ ଆସିଲେ ସ୍ବାସ୍ଥ୍ୟ ଭିତ୍ତିଭୂମିଗୁଡ଼ିକର ଉନ୍ନତି କରିବ। ସମସ୍ତ ଔଷଧ, ପରୀକ୍ଷା, ଚିକିତ୍ସା ଓ ଅପରେସନ ଆଦି ସମ୍ପୂର୍ଣ୍ଣ ମାଗଣାରେ କରାଯିବ। ତେବେ କେଜ୍ରିୱାଲ ତାଙ୍କ ଦଳର କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି। ଯଥା ସମୟରେ ତାହା ଘୋଷଣା କରାଯିବ ବୋଲି କହିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏଏପିରେ ଯୋଗ ଦେବାକୁ ଯାଉଛନ୍ତି କି ନାହିଁ, ତାହା ବି ସେ ସ୍ପଷ୍ଟ କରି ନ କେଜ୍ରିୱାଲ ପଞ୍ଜାବର ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକ ହେଉଛି: ପ୍ରତ୍ୟେକ ପଞ୍ଜାବ ବାସିନ୍ଦା ମାଗଣା ଓ ଉନ୍ନତ ମାନର ଚିକିତ୍ସା ସୁବିଧା ପାଇବେ। ଔଷଧ, ନିଦାନ ପରୀକ୍ଷା, ଅପରେସନ ଆଦି ମାଗଣାରେ କରାଯିବ। ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ପଡ଼ୁଥିବା ବ୍ୟୟବହୁଳ ଅପରେସନ ବି ମାଗଣାରେ କରାଯିବ। ପ୍ରତ୍ୟେକ ପଞ୍ଜାବ ନାଗରିକଙ୍କୁ ହେଲ୍ଥ କାର୍ଡ ପ୍ରଦାନ କରାଯିବ। ଦିଲ୍ଲୀର ମୋହଲ୍ଲା କ୍ଳିନିକ୍ ଢାଞ୍ଚାରେ ଗ୍ରାମାଞ୍ଚଳର କୋଣ-ଅନୁକୋଣରେ ‘ପିଣ୍ଡ୍ କ୍ଲିନିକ୍’ ଖୋଲାଯିବ ଏବଂ ସହରଗୁଡ଼ିକରେ ‘ୱାର୍ଡ କ୍ଲିନିକ୍’ ଖୋଲାଯିବ। ରାଜ୍ୟରେ ଏପରି ୧୬,୦୦୦ କ୍ଲିନିକ୍ ଖୋଲାଯିବ ବୋଲି ଏଏପି ମୁଖ୍ୟ କହିଥିଲେ। ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲର ଭିତ୍ତିଭୂମିରେ ଉନ୍ନତି ଅଣାଯିବ ଏବଂ ସେଗୁଡ଼ିକୁ ସବୁ ସମ୍ପୂର୍ଣ୍ଣ ବାତାନୁକୂଳିତ କରି ଅତ୍ୟାଧୁନିକ ସୁବିଧାମାନ ଉପଲବ୍ଧ କରାଯିବ। ଯେକୌଣସି ଲୋକ ଦୁର୍ଘଟଣାଗ୍ରସ୍ତ ହେଲେ ତାକୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯିବ ଏବଂ ତା’ର ସମସ୍ତ ଚିକିତ୍ସା ଖର୍ଚ୍ଚ ପଞ୍ଜାବ ସରକାର ବହନ କରିବେ, ତେଣିକି ସେ ହସ୍ପିଟାଲ ସରକାରୀ ହେଉ ବା ବେସରକାରୀ। ଏମିତି ସବୁ ଲୋଭନୀୟ ପ୍ରତିଶ୍ରୁତି ଦେଇ ପଞ୍ଜାବରେ ନିଜ ଦଳର ଚେରକୁ ମଜଭୁତ କରିବା ପାଇଁ ଏଏପି ମୁଖ୍ୟ ଉଦ୍ୟମ କରିଛନ୍ତି। ଉଲ୍ଲେଖଯୋଗ୍ୟ ଆସନ୍ତାବର୍ଷ ପଞ୍ଜାବ ବିଧାନସଭା ପାଇଁ ନିର୍ବାଚନ ହେବ। ଏଠାରେ ଏବେ କଂଗ୍ରେସ ଶାସନ କରୁଥିବା ଥିବାବେଳେ ଏଏପି ମୁଖ୍ୟ ବିରୋଧୀ ଦଳ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/kejariwal.jpg)