ନୂଆଦିଲ୍ଲୀ: ଗୋଆ ବିଧାନସଭା ନିର୍ବାଚନ ପାଇଁ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ପ୍ରଥମ ପ୍ରର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କ ପୁତ୍ର ଉତ୍ପଲ ପାରିକରଙ୍କ ନାମ ଏହି ତାଲିକାରେ ନାହିଁ। ଉଲ୍ଲେଖଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କ ପୁତ୍ର ଉତ୍ପଲ ପାରିକର ପାନାଜୀ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହେବା ପାଇଁ ଆଶାବାନ୍ଧି ବସିଥିବା ବେଳେ ଦଳ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ନଦେଇ ପାନାଜୀ ଆସନରୁ ବର୍ତ୍ତମାନର ବିଧାୟକ ଆଟାନାସିଓ ବାବୁଶ ମୋନସେରେଟଙ୍କୁ ଟିକେଟ ଦେଇଛି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସାନକ୍ୱେଲିମରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଉପମୁଖ୍ୟମନ୍ତ୍ରୀ ମନୋହର ଆଜଗାଓଁକର ମାର୍ଗାଓଁରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

Advertisment

ଏହି ପରିପ୍ରେକ୍ଷୀରେ ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି ଯେ ଉତ୍ପଲ ପାରିକର ଯଦି ଆମ ଦଳର ଟିକେଟ ପାଇଁ ଆଗ୍ରହୀ ହୁଅନ୍ତି, ତେବେ ଆମେ ତାଙ୍କୁ ଦଳରେ ସ୍ୱାଗତ କରିବା ସହ ପାନାଜୀ ଆସନରୁ ଲଢ଼ିବା ଟିକେଟ ଦେବୁ।

ଅନ୍ୟପକ୍ଷରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍‌ କହିଛନ୍ତି ଯେ ସ୍ୱର୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପାଲ ପାରିକର, ପାନାଜୀ ଆସନ ଚାହୁଁଥିଲେ ତାଙ୍କୁ ଅନ୍ୟ ବିକଳ୍ପ ପ୍ରଦାନ କରାଯାଇଥିଲା। କିନ୍ତୁ ସେ ମନା କରିଦେଇଥିଲେ। ତାଙ୍କ ସହ କଥାବାର୍ତ୍ତା ଚାଲିଛି। ଆମେ ଅନୁଭବ କରୁଛୁ ଯେ ସେ ରାଜି ହେବା ଉଚିତ ବୋଲି ଦେବେନ୍ଦ୍ର ଫଡନାଭିସ୍‌ କହିଛନ୍ତି। ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଗୋଆ ବିଧାନସଭା ପାଇଁ ଫେବ୍ରୁଆରି ୧୪ରେ ନିର୍ବାଚନ ହେବ।