ମନ୍ତ୍ରୀଙ୍କ ମାଗଣା ଚିକିତ୍ସା ବ୍ୟବସ୍ଥାକୁ କେଜ୍ରିୱାଲ୍‌ଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଲୋକଙ୍କୁ ବିଭିନ୍ନ ମାଗଣା ସୁବିଧା ପ୍ରଦାନ କରୁଥିବା ବେଳେ ଏହାକୁ ସମାଲୋଚନା କରୁଥିବା ରାଜନୈତିକ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ନିଶାଣ କରି ସେ ପ୍ରଶ୍ନ କରିଛନ୍ତି: ମନ୍ତ୍ରୀମାନଙ୍କୁ ମାଗଣା ଚିକିତ୍ସା ସୁବିଧା ଦିଆଯାଉଛି, ସେଥିରେ କାହାର ଆପତ୍ତି ନାହିଁ, କିନ୍ତୁ ସାଧାରଣ ନାଗରିକଙ୍କୁ ଦେଲେ ଆପତ୍ତି ଉଠୁଛି କାହିଁକି?

ବୁଧବାର ଆମ୍ ଆଦ୍‌ମୀ ପାର୍ଟିର ଲିଗାଲ ସେଲ୍ ଦ୍ବାରା ଆୟୋଜିତ ଆଇନଜୀବୀ ସମ୍ମିଳନୀରେ କେଜ୍ରିୱାଲ ଲ କହିଲେ ଯେ, ପ୍ରତି ମନ୍ତ୍ରୀଙ୍କୁ ୪୦୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦିଆଯାଉଛି, ତାହା ‘ଫ୍ରିବି’ (ମାଗଣା ଦାନ) ହେଲାନି, ଆଉ ମୁଁ ଦିଲ୍ଲୀ ଲୋକଙ୍କୁ ୨୦୦ ୟୁନିଟ ମାଗଣା ଦେଲି ଯେ ସେଇଟା ‘ଫ୍ରିବି’ ହୋଇଗଲା। ସୂଚନାଯୋଗ୍ୟ, ଆମ୍ ଆଦ୍‌ମୀ ସରକାର ଦିଲ୍ଲୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମାଗଣା ବିଜୁଳି, ପାଣି, ବସ୍‌ରେ ମହିଳାଙ୍କ ମାଗଣା ଯାତ୍ରା ଆଦି ଅନେକ ମାଗଣା ଯୋଜନା କରିଛନ୍ତି। ଏହାକୁ କେଜ୍ରିୱାଲଙ୍କ ଭୋଟ ରାଜନୀତି ବୋଲି ବିରୋଧୀ ଦଳମାନେ ସବୁବେଳେ ସମାଲୋଚନା କରି ଆସିଛନ୍ତି।

ଆଇନଜୀବୀ ସମ୍ମିଳନୀରେ କେଜ୍ରିୱାଲ କହିଲେ, ବିରୋଧୀମାନେ କହୁଛନ୍ତି ଟଙ୍କା କୋଉଠୁ ଆସିବ? ‌ଆଗରୁ ମନ୍ତ୍ରୀ ଓ ଅଫିସରମାନେ ଲୁଟି ଆସୁଥିଲେ, ଆମେ ସେ ଲୁଟ୍‌କୁ ବନ୍ଦ କରିଦେଇଛୁ। ଆଗରୁ ସରକାରରୁ ଯେଉଁ ଟଙ୍କା ଚୋରି ହେଉଥିଲା, ଯେଉଁ ଟଙ୍କାକୁ ନେତା ଓ ଅଫିସରମାନେ ଖାଉଥିଲେ, ଆମେ ସେ ଟଙ୍କାକୁ ଲୋକଙ୍କୁ ମାଗଣା ପାଣି, ବିଜୁଳି, ଚିକିତ୍ସା ସୁବିଧା ଆଦି ମାଧ୍ୟମରେ ଦେଉଛୁ। ସରକାରଙ୍କ ପାଖରେ ବହୁତ ଟଙ୍କା ଅଛି। କିନ୍ତୁ ସରକାରଙ୍କ ପାଖରେ ଟଙ୍କା ନାହିଁ କହି ଲୋକଙ୍କୁ ଭୁଆଁ ବୁଲାଯାଉଥିଲା।
ସେ କହିଲେ ଯେ, କୋଭିଡ୍‌-୧୯ର ପ୍ରାଦୁର୍ଭାବ ଆରମ୍ଭ ହେବା ପୂର୍ବରୁ ଡିସେମ୍ବର ୧୮, ୨୦୧୯ରୁ ସମସ୍ତ ଓକିଲଙ୍କ ପାଇଁ ଦିଲ୍ଲୀ କ୍ୟାବିନେଟ୍ ଜୀବନ ଓ ସ୍ବାସ୍ଥ୍ୟ ବୀମା ଯୋଜନା ଆରମ୍ଭ କରିଥିଲା। ଫଳରେ କରୋନାରେ ପ୍ରାଣ ହରାଇଥିବା ୧୨୨ ଜଣ ଓକିଲଙ୍କ ପରିବାରକୁ ୧୨.୨୫ କୋଟି ଟଙ୍କାର ବୀମାରାଶି ମିଳିଛି। ପ୍ରାୟ ୧,୨୨୦ ଓକିଲ ସେମାନଙ୍କ ସ୍ବାସ୍ଥ୍ୟ ବୀମା ଯୋଜନାର ଉପଯୋଗ କରି ୭.୨୫ କୋଟି ଟଙ୍କା ପାଇଛନ୍ତି। ଲୋକ ଭାବୁଛନ୍ତି ଏହି ଯୋଜନା ବର୍ଷକ ପାଇଁ। କିନ୍ତୁ ଆମେ ଏ ଯୋଜନା ଚଲାଇ ରଖିବୁ। ଆମେ ପୋର୍ଟାଲ ପୁଣି ଖୋଲିବାକୁ ଯାଉଛୁ। ଯେଉଁ ଓକିଲ ବନ୍ଧୁମାନେ ବୀମା ଯୋଜନାରେ ନିଜ ନାମ ପଞ୍ଜୀକୃତ କରିପାରି ନାହାନ୍ତି, ସେମାନେ କରିପାରିବେ ବୋଲି କେଜରିୱାଲ କହିଥିଲେ।

ସମ୍ବନ୍ଧିତ ଖବର