ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬ ମାସ ପରେ ଆଜି ଜେଲ୍‌ରୁ ମୁକୁଳିଛନ୍ତି। ଦିଲ୍ଲୀ ମଦ ନୀତି ମାମଲା ସହ ଜଡ଼ିତ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଆଜି କେଜ୍ରିୱାଲଙ୍କୁ ଜାମିନ ମଂଜୁର କରିବାପରେ ସେ ଜେଲ୍‌ରୁ ମୁକୁଳିଛନ୍ତି। ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଉଜ୍ଜ୍ବଳ ଭୂୟାଁଙ୍କ ଖଣ୍ଡପୀଠ ଆଜି କଠୋର ସର୍ତ୍ତ ଆଧାରରେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଲକ୍ଷ ଟଙ୍କାର ବଣ୍ଡ୍‌ ଏବଂ ୨ ଜାମିନଦାର ଆଧାରରେ ଜାମିନ ମଂଜୁର ହୋଇଛି। କୋର୍ଟ କେଜ୍ରିୱାଲଙ୍କ ପାଇଁ ଅନ୍ୟ ଗୁରୁତ୍ବପୂର୍ଣ୍ଣ ସର୍ତ୍ତ ମଧ୍ୟ ରଖିଛନ୍ତି। ମାମଲା ସଂକ୍ରାନ୍ତରେ କେଜ୍ରିୱାଲ ସର୍ବସାଧାରଣରେ କୌଣସି ଟିପ୍ପଣୀ ଦେଇପାରିବେନି। କେଜ୍ରିୱାଲ୍‌ ସଚିବାଳୟକୁ ଯାଇପାରିବେ ନାହିଁ କି କୌଣସି ପ୍ରକାର ସରକାରୀ ଫାଇଲ୍‌ରେ ଦସ୍ତଖତ କରିପାରିବେନି। କେବଳ ଉପରାଜ୍ୟପାଳ ଅନୁମତି ଦେଲେ ହିଁ ଜରୁରୀ ଫାଇଲ୍‌ରେ ଦସ୍ତଖତ କରିପାରିବେ। ସେ ମଧ୍ୟ ମାମଲାରେ କୌଣସି ସାକ୍ଷୀଙ୍କୁ ଭେଟିପାରିବେ ନାହିଁ କି ମାମଲା ସଂକ୍ରାନ୍ତ ଫାଇଲ୍‌ ମଗାଇପାରିବେ ନାହିଁ। ତଳ କୋର୍ଟରେ ସମସ୍ତ ‌ଶୁଣାଣି ସମୟରେ ତାଙ୍କୁ ଉପସ୍ଥିତ ରହିବାକୁ ହେବ ବୋଲି ସୁପ୍ରିମ୍‌କୋର୍ଟ ଜାମିନ ସର୍ତ୍ତ ରଖିଛନ୍ତି।

Advertisment

ସନ୍ଦେହରୁ ଊର୍ଦ୍ଧ୍ବରେ ରହି କାମ କରିବା ଉଚିତ
‘ପଞ୍ଜୁରୀ ଭିତରର ଶୁଆ’ ଧାରଣା ବଦଳାଇବାକୁ ହେବ

ଶୁଣାଣି ସମୟରେ ଖଣ୍ଡପୀଠ ସିବିଆ‌ଇ ଉପରେ ବର୍ଷିଛନ୍ତି ଏବଂ କହିଛନ୍ତି, ‌ପିଏମ୍‌ଏଲ୍‌ଏ ମାମଲାରେ କେଜ୍ରିୱାଲଙ୍କୁ ଜାମିନ ମିଳିବାପରେ ତାଙ୍କୁ ଗିରଫ କରାଗଲା ଏବଂ ଏହା କେବଳ ତାଙ୍କୁ ହାଜତରେ ରଖିବାପାଇଁ କରାଯାଇଥିଲା। ଖଣ୍ଡପୀଠ କହିଛନ୍ତି, ସିବିଆଇ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୦୨୩ରେ ଜେରା କରିବା ସମୟରେ ତାଙ୍କୁ ଗିରଫ କରିବା ଆବଶ୍ୟକ ପଡ଼ିନଥିଲା। ଇଡି ଦ୍ବାରା ଗିରଫ ମାମଲାରେ ରୋକ୍‌ ଲାଗିବାପରେ ହିଁ ସିବିଆଇ ତାଙ୍କୁ ଗିରଫ କଲା।  ସିବିଆଇ ସନ୍ଦେହରୁ ଊର୍ଦ୍ଧ୍ବରେ ରହି କାମ କରିବା ଉଚିତ। ସିବିଆଇ ପଞ୍ଜୁରୀ ଭିତରର ଶୁଆ ବୋଲି ଯେଉଁ ଧାରଣା ଅଛି ସିବିଆଇ ସେହି ଧାରଣାକୁ ବଦଳାଇବାକୁ ହେବ ଏବଂ ଏହା ଏକ ପଞ୍ଜୁରୀବିହୀନ ମୁକ୍ତ ଶୁଆ ବୋଲି ପ୍ରମାଣିତ ହେବା ଉଚିତ।