ଆବଶ୍ୟକ ପଡ଼ିଲେ ଦିଲ୍ଲୀରେ ବି ‘ଲକ୍‌-ଡାଉନ୍‌’ ଘୋଷଣା କରାଯାଇପାରେ : କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ରେ ସଂକ୍ରମଣ ଘଟଣା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଯଥାସମ୍ଭବ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। କରୋନା ପ୍ରଭାବକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିୱାଲ ଶନିବାର ଦିଲ୍ଲୀବାସୀଙ୍କୁ କହିଛନ୍ତି , ମୁଁ ସମସ୍ତଙ୍କୁ ନିବେଦନ କରି କହୁଛି, ଆପଣମାନେ ଏହି କିଛିଦିନ ପାଇଁ ସକାଳ ଚାଲିବାକୁ ବନ୍ଦ କରି ଦିଅନ୍ତୁ।  ଯଥା ସମ୍ଭବ ଘରେ ରହୁନ୍ତୁ। ବର୍ତ୍ତମାନ ଦିଲ୍ଲୀରେ ଲକ୍‌ ଡାଉନ୍‌ ଘୋଷଣା କରିବାର ନିଷ୍ପତ୍ତି ନିଆଯାଇ ନାହିଁ ସତ କିନ୍ତୁ ଆବଶ୍ୟକ ହେଲେ ଭବିଷ୍ୟତରେ ଏହି ନିଷ୍ପତ୍ତି ନିଆଯାଇପାରେ।

ରାଜଧାନୀ ଦିଲ୍ଲୀରେ କୌଣସି ସ୍ଥାନରେ ପାଞ୍ଚ ଜଣ କିମ୍ବା ତା’ଠାରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଯଦି ୫ଜଣ ଲୋକ ଏକାଠି ଅଛନ୍ତି ତେବେ ପରସ୍ପର ମଧ୍ୟରେ ଅତିକମ୍‌ରେ ଏକ ମିଟରର ଦୂରତା ରଖିବାକୁ ଚେଷ୍ଟା କରନ୍ତୁ। ଏହାପୂର୍ବରୁ ୨୦ ରୁ ଅଧିକ ଲୋକଙ୍କ ସମାବେଶ ପାଇଁ ନିଷେଧାଦେଶ ଜାରି କରାଯାଇଥିଲା ବୋଲି କେଜ୍ରିଓ୍ଵାଲ କହିଛନ୍ତି।

ଏହା ବ୍ୟତୀତ ଏପ୍ରିଲ ମାସ ପାଇଁ ବିଧବା, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ପେନ୍‌ସନ୍‌ ଦୁଇଗୁଣ କରିବାକୁ ନିଷ୍ପତ୍ତି ନେଇ ରାତ୍ରି ଆଶ୍ରୟସ୍ଥଳୀମାନଙ୍କରେ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି।

କୋଭିଡ -୧୯ ସଂକ୍ରମଣ  ଗରିବଙ୍କ ପାଇଁ ଭୟଙ୍କର ଆର୍ଥିକ ଚାପ ସୃଷ୍ଟି କରୁଛି। ଯେଉଁମାନେ ସରକାରୀ ଦୋକାନରୁ ରାସନ ଗ୍ରହଣ କରୁଛନ୍ତି ସେମାନେ ଆସନ୍ତା ମାସ ପାଇଁ ୫୦ ପ୍ରତିଶତ ଅତିରିକ୍ତ ରାସନ ପାଇବେ । ରବିବାର ଦିନ ‘ଜନତା କର୍ଫ୍ୟୁ’ ସମୟରେ ଦିଲ୍ଲୀର ୫୦ ପ୍ରତିଶତ ବସ୍‌ ଚଳାଚଳ କରିବ। ଏପ୍ରିଲ୍‌ ୭ ସୁଦ୍ଧା ୮.୫ ଲକ୍ଷ ହିତାଧିକାରୀଙ୍କୁ ୪୦୦୦-୫୦୦୦ ଟଙ୍କା ପେନ୍‌ସନ୍‌ ପ୍ରଦାନ କରାଯିବ ବୋଲି କେଜ୍ରିୱାଲ୍ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର