କେଜ୍ରିଓ୍ଵାଲ୍‌ଙ୍କ ଧାରାବାହିକ କ୍ଷମାପ୍ରାର୍ଥନା:ତିନି ସରିଲା, ୩୦ ବାକି

ମାଜିଥିଆଙ୍କ ପରେ ଗଡ଼କରି, ସିବଲ୍‌ଙ୍କୁ କ୍ଷମା ମାଗିଲେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ୍‌ ନିଜ ଉପରେ ରହିଥିବା ମାନହାନି ମାମଲାଗୁଡ଼ିକର ବୋଝକୁ ହାଲକା କରିବା ପାଇଁ ଏବେ କ୍ଷମାପ୍ରାର୍ଥନା ନୀତି ଆପଣାଇଛନ୍ତି। ସେ ପ୍ରଥମେ ପଞ୍ଜାବ ଅକାଳୀ ଦଳର ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂହ ମାଜିଥିଆଙ୍କୁ କ୍ଷମା ମାଗିଥିବା ବେଳେ ଆଜି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ଏବଂ କଂଗ୍ରେସ ନେତା କପିଲ ସିବଲଙ୍କୁ ମଧ୍ୟ କ୍ଷମାପ୍ରାର୍ଥନା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୩ଟି ମାମଲାରୁ ସେ ଆଶ୍ୱସ୍ତ ହୋଇଥିବା ବେଳେ ତାଙ୍କ ବିରୋଧରେ ଆହୁରି ୩୦ଟି ଅନୁରୂପ ମାମଲା ପଡ଼ିରହିଛି।
ସୂଚନାଯୋଗ୍ୟ, ୨୦୧୪ ମସିହାରେ ଗଡ଼କରୀଙ୍କୁ ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ ରାଜନେତା ବୋଲି କେଜ୍ରିଓ୍ଵାଲ କହିବା ପରେ ଗଡ଼କରି ତାଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାଏର କରିଥିଲେ। ତେବେ ଏଥିରୁ ମୁକୁଳିବା ପାଇଁ କେଜ୍ରିଓ୍ଵାଲ୍‌ ଗଡ଼କରିଙ୍କୁ ଏକ କ୍ଷମାପ୍ରାର୍ଥନା ପତ୍ର ଲେଖି ଏଭଳି ଭିତ୍ତିହୀନ ଅଭିଯୋଗ ପାଇଁ ସେ ଅନୁତପ୍ତ ବୋଲି ଦର୍ଶାଇ ମାମଲାକୁ ବନ୍ଦ କରିବାକୁ ନିବେଦନ କରିଥିଲେ। ଆଜି ଉଭୟ କେଜ୍ରିଓ୍ଵାଲ୍‌ ଏବଂ ଗଡ଼କରି ଏହି ମାମଲାକୁ ହଟାଇବା ପାଇଁ ଦିଲ୍ଲୀର ପଟିଆଲା କୋର୍ଟରେ ମିଳିତ ଆବେଦନ କରିବା ପରେ ମାମଲା ପ୍ରତ୍ୟାହୃତ ହୋଇଯାଇଛି।
ସେହିପରି ୨୦୧୩ ମସିହାରେ ଟେଲିକମ୍ପାନି ଭୋଡ଼ାଫୋନ୍‌କୁ ତତ୍କାଳୀନ ଯୋଗାଯୋଗ ମନ୍ତ୍ରୀ କପିଲ ସିବଲ ଅହେତୁକ ଅନୁକମ୍ପା ଦେଖାଇଥିଲେ ବୋଲି କେଜ୍ରିଓ୍ଵାଲ ଅଭିଯୋଗ ଆଣିଥିଲେ। ଫଳରେ ଏହାକୁ ଅମୂଳକ ଦର୍ଶାଇ କପିଳ ତାଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିଥିଲେ। ତେବେ ଆଜି କେଜ୍ରିଓ୍ଵାଲଙ୍କ କ୍ଷମାପ୍ରାର୍ଥନା ପରେ ଉକ୍ତ ମାମଲାକୁ ଉଠାଇନେବା ପାଇଁ କପିଲ ଅଦାଲତକୁ ନିବେଦନ କରିଥିଲେ। ଉଭୟଙ୍କ ନିବେଦନ କ୍ରମେ ଅଦାଲତ କେଜ୍ରିଓ୍ଵାଲଙ୍କ ନାମରୁ ସଂପୃକ୍ତ ମାମଲାକୁ ମଧ୍ୟ ପ୍ରତ୍ୟାହୃତ କରିନେଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର