ଦିଲ୍ଲୀରେ ଡ଼ରାଇଲ, ତଥାପି ୬୨ ଆସନ ଜିତିଲୁ: କେଜ୍ରିୱାଲ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ନେତା ତଥା ରାଷ୍ଟ୍ରୀୟ ସଚିବ ପଙ୍କଜ ଗୁପ୍ତାଙ୍କୁ ଏକ ମନି ଲଣ୍ଡ୍ରିଙ୍ଗ ମାମଲାରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି | ଆସନ୍ତା ସପ୍ତାହରେ ପଚରାଉଚୁରା ପାଇଁ ଇଡି ପଙ୍କଜ ଗୁପ୍ତାଙ୍କୁ ସମନ ପଠାଇଛି | ପଞ୍ଜାବ ବିଧାୟକ ସୁଖପାଲ ସିଂହ ଖେରାଙ୍କ ସହ ଜଡିତ ଏକ ମାମଲାରେ ଇଡି ପକ୍ଷରୁ ପଙ୍କଜ ଗୁପ୍ତାଙ୍କୁ ନୋଟିସ ଜାରି କରାଯାଇଛି | ଗତ ମାର୍ଚ୍ଚ ମାସରେ ଇଡି ପକ୍ଷରୁ ସୁଖପାଲ ସିଂହ ଖେରାଙ୍କ ଘର ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ାଉ ମଧ୍ୟ କରାଯାଇଥିଲା |

ତେବେ ଏହି ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଯେ, ‘ଦିଲ୍ଲୀରେ ଆୟକର ବିଭାଗ, ସିବିଆଇ, ଦିଲ୍ଲୀ ପୁଲିସ ଦ୍ୱାରା ଡ଼ରାଇବାକୁ ପ୍ରଚେଷ୍ଟା କରାଯାଉଥିଲେ ବି ଆମେ ୬୨ଟି ଆସନ ଜିତିଥିଲୁ | ଏବେ ଆମେ ପଞ୍ଜାବ, ଗୋଆ, ଗୁଜୁରାଟ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶରେ ବିସ୍ତାର କରିବାକୁ ଚାଁହୁଥିବାରୁ ଆମ ପଛରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ବ୍ୟବହାର କରାଯାଉଛି |

ତେବେ ବିଜେପି ଏଭଳି କରିବା ଦ୍ୱାରା କେବେ ବି ସଫଳ ହୋଇପାରିବ ନାହିଁ’ | ସେହିପରି ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢା କହିଛନ୍ତି ଯେ କେନ୍ଦ୍ରର ପ୍ରିୟ ଏଜେନ୍ସି ଇଡି ଆପକୁ ଏକ ପ୍ରେମ ଚିଠି ପଠାଇଛି। ସେପ୍ଟେମ୍ବର ୧୦ ରେ ପଙ୍କଜ ଗୁପ୍ତାଙ୍କ ନାମରେ ଏହି ବିଜ୍ଞପ୍ତି ପଠାଯାଇଛି। ତାଙ୍କ ବୟାନ ରେକର୍ଡ କରିବା ପାଇଁ ତାଙ୍କୁ ସେପ୍ଟେମ୍ବର ୨୨, ସକାଳ ୧୧.୩୦ ରେ ଇଡିରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଘବ ଚଢା ଅଭିଯୋଗ କରିଛନ୍ତି ଯେ ଏହା ବିଜେପିର ନୀତି ଯେ ଯେତେବେଳେ ନିର୍ବାଚନରେ ​​ବିରୋଧୀ ଦଳକୁ ପରାସ୍ତ କରିବାରେ ସକ୍ଷମ ହୁଏ ନାହିଁ, ସେତେବେଳେ ସେହି ଦଳକୁ ହଟାଇବାକୁ  ଚେଷ୍ଟା ଆରମ୍ଭ କରେ।

ସମ୍ବନ୍ଧିତ ଖବର