ନୂଆଦିଲ୍ଲୀ: ମଙ୍ଗଳବାର ଅପରାହ୍ଣ ସାଢ଼େ ୪ଟାରେ ଦିଲ୍ଲୀ ଉପରାଜ୍ୟପାଳ ବିଜୟ କୁମାର ସାକ୍‌ସେନାଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭେଟିବେ। ଏହି ଅବସରରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ତାଙ୍କ ଇସ୍ତଫାପତ୍ର ଉପରାଜ୍ୟପାଳଙ୍କୁ ଦେବେ ବୋଲି କୁହାଯାଉଛି। ଉପରାଜ୍ୟପାଳଙ୍କୁ ଭେଟିବା ପାଇଁ କେଜ୍ରିୱାଲ ସମୟ ମାଗିଥିଲେ। ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଥିପାଇଁ ମଙ୍ଗଳବାର ଅପରାହ୍ଣ ସାଢ଼େ ୪ଟା ସମୟ ଦିଆଯାଇଛି। କେଜ୍ରିୱାଲଙ୍କ ପରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ 
ହେବେ ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆଜି ଆପ୍‌ ନେତାମାନଙ୍କ ସହିତ ୱାନ୍‌-ଟୁ-ୱାନ୍ ଆଲୋଚନା କରି ସେମାନଙ୍କ ମତାମତ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ କେଜ୍ରିୱାଲ୍‌ଙ୍କୁ ପୂର୍ବ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ଭେଟି ଆଲୋଚନା କରିଛନ୍ତି। 

Advertisment

ଆଜି ସିଭିଲ୍‌ ଲାଇନ୍‌ସ୍ଥିତ କେଜ୍ରିୱାଲ୍‌ଙ୍କ ବାସଭବନରେ ଦଳ ପକ୍ଷରୁ ରାଜନୈତିକ ବ୍ୟାପାର କମିଟିର ବୈଠକ ସମେତ ଏକାଧିକ ବୈଠକ କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଆତୀଶୀ, ଗୋପାଳ ରାୟ, ସୌରଭ ଭରଦ୍ବାଜ, କୈଳାସ ଗେହଲଟ, ଦିଲ୍ଲୀ ବିଧାନସଭାର ଉପବାଚସ୍ପତି ରାକ୍ଷୀ ବିର୍ଲା, କେଜ୍ରିୱାଲ୍‌ଙ୍କ ପତ୍ନୀ ସୁନୀତା କେଜ୍ରିୱାଲ୍‌ ମଧ୍ୟ ଉପସ୍ଥିତ ଥିଲେ। ବୈଠକ ପରେ ସିସୋଦିଆ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି, ଆସନ୍ତାକାଲି ସାଢ଼େ ୧୧ଟା ବେଳେ ବିଧାୟକ ଦଳର ବୈଠକ କେଜ୍ରିୱାଲଙ୍କ ବାସଭବନରେ ଅନୁଷ୍ଠିତ ହେବ। ଏହି ବୈଠକରେ ଦଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ କେଜ୍ରିୱାଲ୍‌ ଘୋଷଣା କରିବେ ବୋଲି କୁହାଯାଉଛି। ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବା ନେଇ ମନ୍ତ୍ରୀ ଆତୀଶୀ, ଗୋପାଳ ରାୟ, ସୌରଭ ଭରଦ୍ବାଜ, କୈଳାସ ଗେହଲଟ, ଉପବାଚସ୍ପତି ରାକ୍ଷୀ ବିର୍ଲା ଏବଂ କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କ ନାମ ଚର୍ଚ୍ଚାରେ ରହିଛି।  
ତେବେ ଆପ୍‌ ନେତା ସନ୍ଦୀପ ପାଠକ କହିଛନ୍ତି, ଦିନେ ଦୁଇଦିନ ଭିତରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ କିଏ ‌ହେବେ ତାହା ସ୍ଥିର ହେବ। ବିଧାୟକ ଦଳର ବୈଠକ ହୋଇ ନେତା ଚୟନ କରାଯିବ। ଅରବିନ୍ଦ କେଜ୍ରିୱାଲ କ୍ଷମତା ପାଇଁ ଲାଳାୟିତ ନାହାନ୍ତି। ସେ ତାଙ୍କ ସମ୍ମାନକୁ ଅଧିକ ଭଲ ପାଆନ୍ତି ବୋଲି ଶ୍ରୀ ପାଠକ କହିଛନ୍ତି।

ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛି। ଗତ ଶୁକ୍ରବାର ଜାମିନରେ ମୁକୁଳିବା ପରେ କେଜ୍ରିୱାଲ୍‌ ଗତକାଲି ‘୪୮ ଘଣ୍ଟା’ ମଧ୍ୟରେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। ଦିଲ୍ଲୀର ଭୋଟର ଯେତେବେଳେ ସେମାନଙ୍କୁ ‘ଦୁର୍ନୀତିମୁକ୍ତ’ ବୋଲି କହିବେ ସେତେବେଳେ ସେ ମୁଖ୍ୟମନ୍ତ୍ରୀ ଓ ମନୀଷ ସିସୋଦିଆ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି। ଦିଲ୍ଲୀ ବିଧାନସଭା ପାଇଁ ଆଗୁଆ ନଭେମ୍ବରରେ ନିର୍ବାଚନ କରିବା ଲାଗି କେଜ୍ରିୱାଲ ଦାବି କରିଛନ୍ତି।