ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଜଣକ ପରେ ଜଣେ ରାଜନୋଙ୍କୁ ଭୁଲ ମାଗିବାରେ ଲାଗିଛନ୍ତି। ସୋମବାର ସେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ଲିଖିତ କ୍ଷମାପ୍ରାର୍ଥନା କରିଛନ୍ତି। କେବଳ କେଜି୍ରଓ୍ଵାଲ୍‌ ନୁହନ୍ତି, ଏହି କ୍ଷମା ପ୍ରାର୍ଥନା ପତ୍ରରେ ଆମ୍‌ ଆଦମୀ ପାର୍ଟିର ତିନିଜଣ ନେତା ସଞ୍ଜୟ ସିଂ,ରାଘବ ଚଢ଼ା ଏବଂ ଆଶୁତୋଷ ମଧ୍ୟ ସ୍ୱାକ୍ଷର କରିଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟିର ଏହି ୪ ଜଣ ତୁଙ୍ଗ ନେତା ଅର୍ଥମନ୍ତ୍ରୀ ଅରୁଣ୍‌ ଜେଟ୍‌ଲିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏହାପରେ ଜେଟ୍‌ଲି ସେମାନଙ୍କ ନାମରେରେ ମାନହାନୀ ମୋକଦ୍ଦମା ଦାୟର କରିଥିଲେ।

Advertisment

ଉଲ୍ଲେଖଯୋଗ୍ୟ କି,ଅରବିନ୍ଦ କେଜି୍ରଓ୍ଵାଲ୍‌ ଏବଂ ରାଘବ ଚଢ଼ା ,କୁମାର ବିଶ୍ୱାସ,ସଞ୍ଜୟ ସିଂ,ଆଶୁତୋଷ ଓ ଦୀପକ ବାଜପେୟୀ ଅଭିଯୋଗ କରିଥିଲେ କି ଅରୁଣ ଜେଟ୍‌ଲି ଦିଲ୍ଲୀ ଜିଲ୍ଲା କ୍ରିକେଟ୍‌ ଆସୋସିଏସନ୍‌ର ଅଧ୍ୟକ୍ଷ ଥିବାବେଳେ ବ୍ୟାପକ ଦୁର୍ନୀତି ହୋଇଛି। ଏହାପରେ ଜେଟ୍‌ଲି ୧୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ଏମାନଙ୍କ ବିରୋଧରେ ଦାୟର କରିଥିଲେ। ଏହି ମାମଲାରେ କେଜ୍ରିଓ୍ଵାଲ ଦଣ୍ଡିତ ହେବା ଏକପ୍ରକାର ନିଶ୍ଚିତ ହୋଇପଡ଼ିଥିବା ବେଳେ ସେ କ୍ଷମାପ୍ରାର୍ଥନା କରିବାକୁ ବାଧ୍ୟ ହୋଇଛନ୍ତି।


ଏହି କ୍ଷମାପତ୍ରରେ ଉଲ୍ଲେଖ ରହିଛି ଯେ,‘କ୍ରିକେଟ୍‌ ଆସୋସିଏସନ୍‌ ସହ ସଂପୃକ୍ତ କିଛି ଲୋକ ମୋତେ ଦେଇଥିବା ଦସ୍ତାବିଜ୍‌ ଆଧାରରେ ଆମେ ଜେଟ୍‌ଲିଙ୍କ ବିରୋଧରେ ଅଭିଯୋଗ ଆଣିଥିଲୁ। କିନ୍ତୁ ଏବେ ଆମେ ଆବିଷ୍କାର କଲୁ କି ସେଥିରେ ଦିଆଯାଇଥିବା ତଥ୍ୟ ଠିକ୍‌ ନାହିଁ। ଆମେ ଭୁଲ୍‌ ଭାବେ ସୂଚିତ ହୋଇ ଏହି ଅଭିଯୋଗ ଆଣିଥିଲୁ। ’

ଏହି କ୍ଷମାଯାଚନା ପରେ ଜେଟ୍‌ଲି କିନ୍ତୁ ମାମଲାଟି ଉଠାଇ ନାହାନ୍ତି। ଜେଟ୍‌ଲିଙ୍କ ପକ୍ଷରୁ କେଜ୍ରିଓ୍ଵାଲ୍‌ ଓ ଅନ୍ୟ ତିନିଜଣଙ୍କ କ୍ଷମାପ୍ରାର୍ଥନାକୁ ବିଚାରକୁ ନେଇ ମାମଲାର ଫଇସଲା ଲାଗି ଅଦାଲତଙ୍କ ପାଖରେ ଆବେଦନ କରାଯାଇଛି।