ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ଆଜି ‘କେଜ୍ରିୱାଲ୍ କି ଗ୍ୟାରେଣ୍ଟି’ ଘୋଷଣା କରି ଲୋକସଭା ନିର୍ବାଚନରେ ଇଣ୍ଡି-ମେଣ୍ଟ କ୍ଷମତାକୁ ଆସିଲେ ଯୁଦ୍ଧକାଳୀନ ଭିତ୍ତିରେ ୧୦ଟି କାର୍ଯ୍ୟ କରାଯିବ ବୋଲି କହିଛନ୍ତି। କେଜ୍ରିୱାଲ କହିଛନ୍ତି, ଏହି ଗ୍ୟାରେଣ୍ଟି ହେଉଛି ନୂଆ ଭାରତର ପରିକଳ୍ପନା ଏବଂ ଏହା ବିନା ଦେଶ ଶକ୍ତିଶାଳୀ ହୋଇପାରିବ ନାହିଁ।
ଲୋକସଭା ନିର୍ବାଚନ ପାଇଁ କେଜ୍ରିୱାଲଙ୍କ ୧୦ ଗ୍ୟାରେଣ୍ଟି-
୨୪ ଘଣ୍ଟିଆ ବିଜୁଳି ଯୋଗାଣ: କେଜ୍ରିୱାଲ କହିଛନ୍ତି ଯେ ସେମାନଙ୍କ ସରକାର ଦେଶବ୍ୟାପୀ ନିରନ୍ତର ବିଜୁଳି ଉପଲବ୍ଧତାକୁ ସୁନିଶ୍ଚିତ କରିବେ ଏବଂ ଦେଶବ୍ୟାପୀ ଆର୍ଥିକ ଅନଗ୍ରସର ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦେବେ।
ଶିକ୍ଷା ସଂସ୍କାର: ସରକାରୀ ବିଦ୍ୟାଳୟଗୁଡ଼ିକର ଏପରି ନବୀକରଣ କରାଯିବ ଯାହାଦ୍ବାରା ଗୁଣାତ୍ମକ ସ୍ତରରେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ବି ପଛରେ ପଡ଼ିଯିବେ। ଦେଶରେ ଜନ୍ମିତ ପ୍ରତ୍ୟେକ ପିଲାଙ୍କୁ ମାଗଣା ଉନ୍ନତ ଶିକ୍ଷା ପ୍ରଦାନ କରାଯିବ।
ସ୍ୱାସ୍ଥ୍ୟସେବାରେ ଉନ୍ନତି: ପ୍ରତ୍ୟେକ ଗାଁ ଓ ଅଞ୍ଚଳରେ ମୋହଲ୍ଲା କ୍ଲିନିକ୍ ପ୍ରତିଷ୍ଠା କରିବା ଓ ବ୍ୟାପକ ସ୍ୱାସ୍ଥ୍ୟସେବା ପାଇଁ ଜିଲ୍ଲା ଡାକ୍ତରଖାନାଗୁଡିକୁ ମଲ୍ଟି ସ୍ପେସାଲିଟି ହସ୍ପିଟାଲରେ ପରିଣତ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।
ଜାତୀୟ ନିରାପତ୍ତା: ଚୀନ୍ଠାରୁ ଜମି ପୁନରୁଦ୍ଧାର ପାଇଁ ଆମେ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରିବୁ ଏବଂ ଆଞ୍ଚଳିକ ଅଖଣ୍ଡତା ପାଇଁ କୂଟନୈତିକ ପ୍ରୟାସ ଜାରି ରଖିବୁ ବୋଲି ସେ କହିଛନ୍ତି।
ଅଗ୍ନିବୀର ଯୋଜନା ବନ୍ଦ କରିବା ସହ ସମସ୍ତ ପଞ୍ଜୀକୃତ ପିଲାଙ୍କୁ ସ୍ଥାୟୀ ପଦବୀରେ ନିୟମିତ କରିବା, ଚୁକ୍ତିଭିତ୍ତିକ ବ୍ୟବସ୍ଥାକୁ ଉଚ୍ଛେଦ କରିବା ଏବଂ ସେନା ପାଇଁ ପର୍ଯ୍ୟାପ୍ତ ପାଣ୍ଠି ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ ବୋଲି କେଜ୍ରିୱାଲ କହିଛନ୍ତି।
କୃଷକ କଲ୍ୟାଣ: ସ୍ୱାମୀନାଥନ ରିପୋର୍ଟ ଆଧାରରେ ଫସଲ ପାଇଁ ଉଚିତ କ୍ଷତିପୂରଣ ପ୍ରଦାନ କରିବା ଦ୍ୱାରା କୃଷକମାନେ ସମ୍ମାନଜନକ ଜୀବନ ଯାପନ କରିପାରିବେ।
ଦିଲ୍ଲୀ ରାଜ୍ୟ ମାନ୍ୟତା: ଆମ ସରକାର ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବେ ବୋଲି ସେ କହିଛନ୍ତି।
ନିଯୁକ୍ତି ସୃଷ୍ଟି: ବେରୋଜଗାର ସମସ୍ୟାର ସମାଧାନ ପାଇଁ ଭାରତ ସରକାର ବାର୍ଷିକ ୨ କୋଟି ନୂଆ ନିଯୁକ୍ତି ସୃଷ୍ଟି କରିବେ ବୋଲି ଆପ୍ ମୁଖ୍ୟ କହିଛନ୍ତି।
ଦୁର୍ନୀତି ଦୂରୀକରଣ: ସମସ୍ତଙ୍କ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରି ଦୁର୍ନୀତିର ମୁକାବିଲା କରିବାକୁ କେଜ୍ରିୱାଲ ପ୍ରତିଶ୍ରୁତି ଦେଇଛନ୍ତି।
ବାଣିଜ୍ୟ ଓ ଶିଳ୍ପ ପ୍ରୋତ୍ସାହନ: ଜିଏସ୍ଟିକୁ ହଟାଇ ଏହାକୁ ସରଳ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଉତ୍ପାଦନ କ୍ଷେତ୍ରରେ ଚୀନ୍କୁ ପଛରେ ପକାଇବାକୁ ଲକ୍ଷ୍ୟ ରଖିଛନ୍ତି ।