ନୂଆଦିଲ୍ଲୀ : ଦିଲ୍ଲୀ ଏମ୍‌ସିଡି ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ ଦିଲ୍ଲୀ ବାସିନ୍ଦାଙ୍କୁ ଆପ୍‌ ପକ୍ଷରୁ ୧୦ଟି ପ୍ରତିଶ୍ରୁତି ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି, ଯେଉଁମାନେ ଦିଲ୍ଲୀକୁ ପରିଚାଳନା କରୁଛନ୍ତି ସେମାନଙ୍କୁ ଭୋଟ୍‌ ଦିଅ, ଯେଉଁମାନେ ଦିଲ୍ଲୀର ବିକାଶକୁ ଅଟକାଇଛନ୍ତି ସେମାନଙ୍କୁ ଭୋଟ୍‌ ଦିଅନାହିଁ। କେଜ୍ରିୱାଲ ଦେଇଥିବା ପ୍ରଥମ ପ୍ରତିଶ୍ରୁତି ହେଉଛି ଦିଲ୍ଲୀର ସୌନ୍ଦର୍ଯ୍ୟକରଣ। କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ ଆଗକୁ ଆଉ ଅଳିଆ ଗଦା ରହିବନି। ଆମେ ସବୁ ଅଳିଆ‌ ଗଦାକୁ ହଟାଇ ଦେବୁ। ଏହା ଆଦୌ ରକେଟ୍‌ ବିଜ୍ଞାନ ନୁହେଁ ବୋଲି କେଜ୍ରିୱାଲ କହିଛନ୍ତି। ଦିଲ୍ଲୀର ସମସ୍ତ ରାସ୍ତାଘାଟ ସଫା ରହିବ ଏବଂ ଏମ୍‌ସିଡି ଦ୍ବାରା ପରିଚାଳିତ ସମସ୍ତ ସ୍କୁଲ ଏବଂ ହସ୍ପିଟାଲର ନବୀକରଣ ହେବ। ଦୁର୍ନୀତି ମୁକ୍ତ ଏମ୍‌ସିଡି ପାଇଁ କେଜ୍ରିୱାଲ ପ୍ରତିଶ୍ରୁତି ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି, ପାର୍କିଂ ସମସ୍ୟାର ସମାଧାନ ହେବ ଏବଂ ରାଜଧାନୀରେ ଆଉ ବୁଲାକୁକୁର, ଗାଈ ଏବଂ ମାଙ୍କଡ଼ ରହିବେ ନାହିଁ। ଚଳିତ ନିର୍ବାଚନରେ ବିଜେପି ୨୦ଟିରୁ କମ୍‌ ଆସନରେ ଜିତିବ ବୋଲି କେଜ୍ରିୱାଲ କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୪ରେ ଏମ୍‌ସିଡି ନିର୍ବାଚନ। ଡିସେମ୍ବର ୭ରେ ଏମ୍‌ସିଡି ନିର୍ବାଚନ ଫଳାଫଳ ଆସିବ। ଦୀର୍ଘ ୧୫ ବର୍ଷ ଧରି ବିଜେପି ଏମ୍‌ସିଡିକୁ ଶାସନ କରୁଛି।