ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଆଜି ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇ ଜେଲ୍‌ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ଆଜି କୋର୍ଟରେ ଶୁଣାଣି ସମୟରେ କେଜ୍ରିୱାଲଙ୍କର ଆଇନଜୀବୀ ୨ଟି ଆବେଦନ ତଥା ସିବିଆଇ ଦ୍ବାରା କେଜ୍ରିୱାଲଙ୍କୁ ଗିରଫ ଏବଂ ମାମଲାରେ ଅନ୍ତରୀଣ ଜାମିନ ସଂକ୍ରାନ୍ତରେ ପକ୍ଷ ରଖିଥିଲେ। ବରିଷ୍ଠ ଆଇନଜୀବୀ ଅଭି‌ଷେକ ସିଂଘଭି କହିଛନ୍ତି, କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିବା ହେଉଛି ଏକ ‘ଇନ୍‌ସୁରାନ୍ସ ଆରେଷ୍ଟ୍‌’। ସେ କହିଛନ୍ତି, କେଜ୍ରିୱାଲ ଆତଙ୍କବାଦୀ ନୁହନ୍ତି ଏବଂ ଗିରଫ ଆଇନ ଅନୁଯାୟୀ ହୋଇନାହିଁ। କେବଳ ତାଙ୍କୁ ଗିରଫ କରି ଜେଲ୍‌ରେ ରଖିବା ଉଦ୍ଦେଶ୍ୟରେ ଏଭଳି କରାଯାଇଛି। କେଜ୍ରିୱାଲ ଜାମିନ ପାଇବାପାଇଁ ଯୋଗ୍ୟ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ ଆଜି ଆଇନଜୀବୀ ଡିପି ସିଂହ କେଜ୍ରିୱାଲଙ୍କ ଦ୍ବାରା ହୋଇଥିବା ୨ଟି ଆବେଦନକୁ ବିରୋଧ କରିଥିଲେ। ସେ କହିଥିଲେ କେଜ୍ରିୱାଲଙ୍କ ଗିରଫକୁ ‘ଇନ୍‌ସୁରାନ୍ସ ଆରେଷ୍ଟ୍‌’ କହିବା ଅଯୌକ୍ତିକ। କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଏହି ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି। ଜୁଲାଇ ୨୯ ତାରିଖରେ କୋର୍ଟ ମାମଲାରେ ନିୟମିତ ଜାମିନ ଆବେଦନର ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ଦ୍ବାରା ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ସିବିଆଇ ଗତ ଜୁନ୍‌ ୨୬ ତାରିଖରେ ଗିରଫ କରିଥିଲା।

Advertisment

ଜାଣିଶୁଣି ମଦନୀତିରେ ପରିବର୍ତ୍ତନ କରିଥିଲେ: ସିବିଆଇ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିବା ସିବିଆଇ ‌କେଜ୍ରିୱାଲଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି। କେଜ୍ରିୱାଲ ଜାଣିଶୁଣି ମଦ ନୀତିରେ ପରିବର୍ତ୍ତନ କରିଥିଲେ ବୋଲି ସିବିଆଇ ଅଭିଯୋଗ କରିଛି। ସାଉଥ୍‌ ଗ୍ରୁପ୍‌ରୁ ବେଆଇନ ଭାବେ ୧୦୦ କୋଟି ଟଙ୍କାର ଲାଞ୍ଚ ପାଇବା ଲୋଭରେ କେଜ୍ରିୱାଲ ହୋ‌ଲସେଲରଙ୍କୁ ବଡ଼ ଲାଭ ଦେବାପାଇଁ ଜାଣିଶୁଣି ‌ମଦ ନୀତିରେ ପରିବର୍ତ୍ତନ କରିଥିଲେ। କେଜ୍ରିୱାଲଙ୍କ ଜାମିନକୁ ବିରୋଧ କରି ସିବିଆଇ ଦିଲ୍ଲୀ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଏହା ଦର୍ଶାଇଛି। ସିବିଆଇ କହିଛି ଆପ୍‌ ସୁପ୍ରିମୋ ବିନା କାରଣରେ ଲିକର୍‌ ହୋଲସେଲରଙ୍କ ପ୍ରଫିଟ୍‌ ମାର୍ଜିନ୍‌ ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି କରିଥିଲେ ଏବଂ ତାଙ୍କ ନିର୍ଦ୍ଦେଶକ୍ରମେ ହିଁ ମଦନୀତିରେ ବଡ଼ ପରିବର୍ତ୍ତନ କରାଯାଇ ଦୁର୍ନୀତି ନିମନ୍ତେ ରାସ୍ତା ସଫା କରାଯାଇଥିଲା।