ଗୁଜରାଟରେ କେଜ୍ରିୱାଲଙ୍କ ଘରକୁ ଘର ପ୍ରଚାର ଆରମ୍ଭ: ବିଜେପି କର୍ମୀଙ୍କୁ ଅଜବ ଅନୁରୋଧ, ବିଜେପିରେ ରୁହ କିନ୍ତୁ ଆପ୍‌ ପାଇଁ କାମ କର

ନୂଆଦିଲ୍ଲୀ: ଆଗାମୀ ଡିସେମ୍ବରରେ ଗୁଜରାଟ ବିଧାନସଭା ନିର୍ବାଚନ ଥିବାବେଳେ ଏବେଠାରୁ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଗୁଜରାଟରେ ବିଜେପି ସହ ତୀବ୍ର ଲଢ଼େଇ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । କେଜ୍ରିୱାଲ୍‌ ଗୁଜରାଟ‌ରେ ଅନେକ ମାଗଣା ପ୍ରତିଶ୍ରୁତି ଦେବାସହ ଆଜିଠାରୁ ରାଜକୋଟରେ ଘରକୁ ଘର ପ୍ରଚାର ଆରମ୍ଭ କରିଛନ୍ତି। ୨ ଦିନିଆ ଗୁଜରାଟ ଗସ୍ତରେ ଥିବା କେଜ୍ରିୱାଲ ଆଜି ବିଜେପି କର୍ମୀମାନଙ୍କୁ ଏକ ଅଜବ ଅନୁରୋଧ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି, ବିଜେପି କର୍ମୀମାନେ ଶାସକ ଦଳରେ ରୁହନ୍ତୁ, ବିଜେପିଠାରୁ ଟଙ୍କା ନିଅନ୍ତୁ କିନ୍ତୁ ସେମାନେ ଆପ୍‌ ପାଇଁ କାମ କରନ୍ତୁ। ତାଙ୍କ ଦଳ ପାଖରେ ଟଙ୍କା ନାହିଁ ବୋଲି ଦର୍ଶାଇ ସେ କହିଛନ୍ତି ଯେ ଆପ୍‌ ଯଦି ରାଜ୍ୟରେ କ୍ଷମତାକୁ ଆସିବ ତେବେ ପ୍ରତିଶ୍ରୁତି ମୁତାବକ ବିଜେପି କର୍ମୀମାନେ ସବୁ ସୁବିଧା ପାଇବେ। ଆମେ ବିଜେପି ନେତାଙ୍କୁ ଚାହୁନାହୁଁ, କିନ୍ତୁ ବୁଥ୍‌ସ୍ତରରେ କର୍ମୀମାନେ ଆମ ସହ ଯୋଗ ଦେଇସାରିଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି।

ବିଜେପି ଏତେବର୍ଷ କ୍ଷମତାରେ ରହିଥିଲେ ବି ଏହା ବିଜେପି କର୍ମୀମାନଙ୍କୁ ମାଗଣା ଏବଂ ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ‌ସେବା, ବିଜୁଳି ସୁବିଧା ଦେଇନାହିଁ। କିନ୍ତୁ ଆପ୍‌ ବିଜେପି କର୍ମୀଙ୍କ ମଙ୍ଗଳ ପାଇଁ କାମ କରିବ ବୋଲି କେଜ୍ରିୱାଲ କହିଛନ୍ତି। ମନୀଷ ସିସୋଦିଆଙ୍କ ମାମଲାରେ ଗୁଜରାଟବାସୀଙ୍କ କ୍ରୋଧ ବଢ଼ିଛି ବୋଲି ସେ କହିଛନ୍ତି। ସୁରଟର ‌ଲୋକମାନେ ଏହାର ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି। କେଜ୍ରିୱାଲ କହିଛନ୍ତି, ଆମେ ସୁରଟରେ ଏକ ସର୍ବେକ୍ଷଣ କରିଥିଲୁ ଏବଂ ଜାଣିବାକୁ ପାଇଛୁ ଯେ ଆପ୍‌ ସୁରଟରେ ୧୨ ଆସନରୁ ୭ଟିରେ ଜିତିବାକୁ ଯାଉଛି।

ସମ୍ବନ୍ଧିତ ଖବର