ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଉପରାଜ୍ୟପାଳ କହିଛନ୍ତି, ଜେଲ୍ ସୁପରିନଟେଣ୍ଡେଣ୍ଟ୍ଙ୍କ ଦ୍ବାରା ଦିଆଯାଇଥିବା ରିପୋର୍ଟ ଅନୁଯାୟୀ କେଜ୍ରିୱାଲଙ୍କୁ ଡାକ୍ତର ଯେତିକି କ୍ୟାଲୋରି ନେବାକୁ କହିଛନ୍ତି, ସେ ଜାଣିଶୁଣି ତା’ଠାରୁ କମ୍ କ୍ୟାଲୋରି ଗ୍ରହଣ କରୁଛନ୍ତି। ଏହା ଫଳରେ ତାଙ୍କର ଓଜନ ହ୍ରାସ ହେଉଛି ଏବଂ ତାଙ୍କର ଟାଇପ୍-୨ ଡାଇବେଟିସ ଥିବାରୁ ସ୍ବାସ୍ଥ୍ୟ ସମସ୍ୟା ଜଟିଳ କରିଦେଉଛି। ଆପ୍ ସୁପ୍ରିମୋ ଇନସୁଲିନ ନେବାରେ ଏବଂ ତାଙ୍କ ରକ୍ତ ସର୍କରା ଯାଞ୍ଚ କରାଯିବାରେ ବିସଙ୍ଗତି ହୋଇଛି ବୋଲି ସାକ୍ସେନା ଚିଠିରେ ଦର୍ଶାଇଛନ୍ତି।
ସେହିପରି ଜୁଲାଇ ୭ ତାରିଖରେ କେଜ୍ରିୱାଲ ଖାଇବା ପୂର୍ବରୁ ଇନସୁଲିନ ଡୋଜ୍ ନେଇନଥିବା ସେ କହିଛନ୍ତି। ଏଭଳି ଅନିୟମିତତା ପାଇଁ ସ୍ବାସ୍ଥ୍ୟ ସମସ୍ୟା ଜଟିଳ ହେବା ବିପଦ ବଢ଼ି ଯାଉଛି ବୋଲି ସାକ୍ସେନା କହିଛନ୍ତି। କେଜ୍ରିୱାଲଙ୍କୁ ଦିଆଯାଇଥିବା ମେଡିସିନ୍ ଏବଂ ଇନସୁଲିନ ଯେମିତି ସେ ଠିକ୍ ଭାବେ ନେବେ ତାହା ନିଶ୍ଚିତ କରିବାପାଇଁ ଉପରାଜ୍ୟପାଳ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଉପରାଜ୍ୟପାଳଙ୍କ ଚିଠି ଉପରେ ପ୍ରତିକ୍ରିୟା ରଖି ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି, ‘ମୁଁ ଯାହା ଜାଣିଛି, ଏଲ୍ଜି ସାର୍ ସିମେଣ୍ଟ ଫ୍ୟାକ୍ଟ୍ରିରେ କାମ କରୁଥିଲେ କିନ୍ତୁ ମୁଁ ଜାଣିନଥିଲି ସେ ଜଣେ ଡାକ୍ତର ଏବଂ ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ। ସେ କେବେ ବି ନିର୍ବାଚନ ଲଢ଼ିନାହାନ୍ତି। ନହେଲେ ଆମେ ତାଙ୍କ ସତ୍ୟପାଠ ପଢ଼ି ଜାଣିପାରିଥାନ୍ତୁ।’