ଅମୃତସର: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ଭଗୱନ୍ତ ମାନ୍‌ ଏବଂ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଆଜି ଅମୃତସରରେ ଏକ ମେଗା ରୋଡ୍ ସୋ’ କରିଛନ୍ତି। ସେମାନେ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଦଳର ବିଜୟ ଉତ୍ସବ ପାଳନ କରିଛନ୍ତି। ରୋଡ୍ ସୋ’ ଆରମ୍ଭ ହେବା ପୂର୍ବରୁ ନେତାମାନେ ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଥିଲେ।

Advertisment

ଜାତୀୟ ପତାକା ଧରି ବହୁ ସଂଖ୍ୟାରେ ଆପ୍‌ ସମର୍ଥକ ଏବଂ କର୍ମୀମାନେ ବିଶାଳ ଶୋଭାଯାତ୍ରାରେ ଯୋଗ ଦେଇଥି‌ଲେ। ରୋଡ୍ ସୋ ଚାଲିଥିବାବେଳେ ଅମୃତସର ରାସ୍ତାରେ କେଜ୍ରିୱାଲ ଏବଂ ମାନ୍‌ଙ୍କ ବିଶାଳ କଟଆଉଟ୍ ଦେଖିବାକୁ ମିଳିଥିଲା। ୫୮,୦୦୦ରୁ ଅଧିକ ଭୋଟରେ ଧୁରୀ ଆସନରୁ ବିଜୟୀ ହୋଇଥିବା ମାନ୍‌ ଶୁକ୍ରବାର ମୋହାଲିରେ ଅନୁଷ୍ଠିତ ଦଳୀୟ ବିଧାୟକମାନଙ୍କ ବୈଠକରେ ଦଳର ନେତା ଭାବେ ନିର୍ବାଚିତ ହୋଇଥିଲେ। ସରକାର ଗଠନ ଦାବିରେ ସେ ଶନିବାର ଚଣ୍ଡିଗଡ଼ର ରାଜଭବନରେ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଭେଟିଥିଲେ। ଆସନ୍ତା ୧୬ ତାରିଖରେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ଜନ୍ମସ୍ଥାନ ଖଟକର କଲାନଠାରେ ମାନ୍‌ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ସେହିଦିନ ମାନ୍‌ କେବଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ‌ନେବେ। ପରେ ମନ୍ତ୍ରମଣ୍ଡଳ ଗଠନ ହେବ ବୋଲି ଜଣାଯାଇଛି। ମାନ୍‌ କହିଛନ୍ତି, ପଞ୍ଜାବର ନୂତନ ସରକାର ଶାସନକୁ ଲୋକଙ୍କ ଦ୍ୱାରଦେଶରେ ପହଞ୍ଚାଇବାକୁ ଚେଷ୍ଟା କରିବେ। ଫଳରେ ସେମାନଙ୍କୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜଧାନୀ ଚଣ୍ଡିଗଡ଼କୁ ଯିବାକୁ ପଡିବ ନାହିଁ। ପଞ୍ଜାବ ମତଦାନରେ ଆମ୍ ଆଦମୀ ପାର୍ଟି ୯୨ଟି ଆସନରେ ବିଜୟୀ ହୋଇଛି। ୧୧୭ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୧୮ଟି ଆସନ ଜିତିଥିବାବେଳେ ବିଜେପି ଦୁଇଟି ଏବଂ ଶିରୋମଣି ଅକାଳି ଦଳ ତିନିଟି ଆସନ ଜିତିଛି।