ରାହୁଲଙ୍କ ପରେ କେଜ୍ରିୱାଲଙ୍କ ପାଳି! ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୨୫ ହଜାର ଜରିମାନା

ପ୍ରଧାନମନ୍ତ୍ରୀଙ୍କ ଡିଗ୍ରି ସାର୍ଟିଫିକେଟ୍‌ ଦେଖାଇବା ଆବଶ୍ୟକ ନାହିଁ: ଗୁଜରାଟ ହାଇକୋର୍ଟ

ନୂଆଦିଲ୍ଲୀ: ଗୁଜରାଟ ହାଇକୋର୍ଟରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଶକ୍ତ ଝଟ୍‌କା ଲାଗିଛି। କେଜ୍ରିୱାଲ ସୂଚନା ଅଧିକାର ଆଇନ ବଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରି ଓ ସ୍ନାତକୋତ୍ତର ସାର୍ଟିଫିକେଟ ସଂକ୍ରାନ୍ତ ବିସ୍ତୃତ ସୂଚନା ମାଗିଥିଲେ। କେଜ୍ରିୱାଲଙ୍କ ଆର୍‌ଟିଆଇ ଅନୁରୋଧକ୍ରମେ ମୁଖ୍ୟ ସୂଚନା କମିସନର ୨୦୧୬ ମସିହାରେ ଗୁଜରାଟ ବିଶ୍ବବିଦ୍ୟାଳୟ ଏବଂ ପିଏମ୍‌ଓ (ପ୍ରଧାନମନ୍ତ୍ରୀଙ୍କ ଅଫିସ)ର ପିଆଇଓଙ୍କୁ ମୋଦୀଙ୍କ ଡିଗ୍ରି ସଂକ୍ରାନ୍ତ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ଗୁଜରାଟ ହାଇକୋର୍ଟ ଆଜି ସିଆଇସିଙ୍କ ଏହି ନିର୍ଦ୍ଦେଶକୁ ରଦ୍ଦ କରିଦେଇଛନ୍ତି। ହାଇକୋର୍ଟ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ୨୫ ହଜାର ଟଙ୍କାର ଜରିମାନା କରିଛନ୍ତି। ଗୁଜରାଟ ରାଜ୍ୟ ନ୍ୟାୟିକ ସେବା କର୍ତ୍ତୃପକ୍ଷଙ୍କ ନିକଟରେ କେଜ୍ରିୱାଲ ଜରିମାନା ଟଙ୍କା ଡିପୋଜିଟ୍‌ କରିବେ।

ଉଲ୍ଲେଖଯୋଗ୍ୟ, ସିଆଇସିଙ୍କ ନିର୍ଦ୍ଦେଶକୁ ଗୁଜରାଟ ବିଶ୍ବବିଦ୍ୟାଳୟ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ୍‌ କରାଯାଇଥିଲା। ଗୁଜରାଟ ହାଇକୋର୍ଟରେ ଆଜି ଜଷ୍ଟିସ ବୀରେନ ବୈଷ୍ଣବଙ୍କ ଜଣିକିଆ ଖଣ୍ଡପୀଠ ସିଆଇସିଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଦେଇଛନ୍ତି। କୋର୍ଟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଡିଗ୍ରି ସାର୍ଟିଫିକେଟ୍‌ ଦେଖାଇବା କିଛି ଆବଶ୍ୟକ ନାହିଁ। ଅନ୍ୟପକ୍ଷରେ, ଆଜି କୋର୍ଟ ରାୟରେ ବିସ୍ମୟ ପ୍ରକାଶ କରି କେଜ୍ରିୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ଦେଶବାସୀଙ୍କ ଜାଣିବାର ଅଧିକାର ଅଛି। ଉଲ୍ଲେଖଯୋଗ୍ୟ, ଗତମାସରେ ଏହି ମାମଲାର ଶୁଣାଣି ସମୟରେ ଗୁଜରାଟ ବିଶ୍ବବିଦ୍ୟାଳୟ ପକ୍ଷରୁ କୋର୍ଟରେ ସଲିସିଟର ଜେନେରାଲ ତୁଷାର ମେହଟା ଉପସ୍ଥିତ ଥିଲେ। ମେହଟା କହିଥିଲେ, କୌଣସି ସାର୍ଟିଫିକେଟ ନେଇ କିଛି ଲୁଚାଇବାର ନାହିଁ। ପ୍ରଧାନମନ୍ତ୍ରୀଙ୍କ ଡିଗ୍ରି ସଂକ୍ରାନ୍ତରେ ସୂଚନା ଦେବାପାଇଁ ବିଶ୍ବବିଦ୍ୟାଳୟ ବାଧ୍ୟ ନୁହେଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ କାଗଜପତ୍ରରେ ସେ ୧୯୭୮ରେ ଗୁଜରାଟ ବିଶ୍ବବିଦ୍ୟାଳୟ ଡିଗ୍ରି କରିଥିବା ଏବଂ ୧୯୮୩ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ମାଷ୍ଟର୍ସ ଡିଗ୍ରି କରିଥିବା ଦର୍ଶାଯାଇଛି।

ସମ୍ବନ୍ଧିତ ଖବର