ନୂଆଦିଲ୍ଲୀ: ୨୦୧୯ରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ତଥା ବାୟୁସେନାର ପାଇଲଟ ସୁନିତ ମହାନ୍ତିଙ୍କ ପରିବାରକୁ ଦିଲ୍ଲୀ ସରକାର ଆଜି ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି | ପାଲମବିହାର ବିଧାୟକ ଭାବନା ଗୌଡ଼ ଆଜି ଦିଲ୍ଲୀର ଦ୍ୱାରକାରେ ଥିବା ସୁନିତଙ୍କ ବାସଭବନକୁ ଯାଇ 'ସମ୍ମାନ ରାଶି' ସ୍ୱରୂପ ଏକ କୋଟି ଟଙ୍କାର ଚେକ ପ୍ରଦାନ କରିଛନ୍ତି | ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆମେ ତାଙ୍କ ଜୀବନରେ ମୂଲ୍ୟ ଦେଇ ପାରିବୁ ନାହିଁ, କିନ୍ତୁ ଏହି ଅର୍ଥରାଶି ତାଙ୍କ ଶୋକସନ୍ତପ୍ତ ପରିବାରକୁ ଶକ୍ତି ଏବଂ ସହାୟତା ପ୍ରଦାନ କରିବ । ଆମେ ସର୍ବଦା ସହିଦମାନଙ୍କ ପରିବାର ସହିତ ଛିଡ଼ା ହେବୁ ଏବଂ ସମସ୍ତ ସାହାଯ୍ୟ କରିବୁ | ସୂଚନା ଥାଉ କି ଜୁନ୍ ୩, ୨୦୧୯ ଅପରାହ୍ଣରେ ଆସାମର ଜୋରହାଟଠାରୁ ବାୟୁସେନାର ପରିବହନ ବିମାନ ଏଏନ୍-୩୨ ଉଡାଣ ଆରମ୍ଭ କରିଥିଲା।
ଏହି ବିମାନ ଅରୁଣାଚଳପ୍ରଦେଶର ମେଚୁକା ଅଭିମୁଖେ ଯାତ୍ରା କରୁଥିବାବେଳେ, ଗନ୍ତବ୍ୟସ୍ଥଳରେ ଠିକ ସମୟରେ ନ ପହଂଚିବାରୁ ବାୟୁସେନା ନିଖୋଜ ନେଇ ସନ୍ଦେହ ପ୍ରକଟ କରିଥିଲା। ଏହା ପରେ ସର୍ଚ୍ଚ ଅପରେସନ ଚଳାଇଥିଲା। ପ୍ରଥମ ଦୁଇ ଦିନ ସର୍ଚ୍ଚ ଅଭିଯାନରେ ସଫଳତା ନ ମିଳିବାରୁ ଏହାକୁ ବ୍ୟାପକ କରାଯାଇଥିଲା। ସର୍ଚ୍ଚ ଅପରେସନ୍ ଟିମ୍ରେ ୧୫୦୦ ଯବାନ, ପୁଲିସ, ସ୍ଥାନୀୟ ଗ୍ରାମବାସୀ ସାମିଲ ହୋଇଥିଲେ। ଇସ୍ରୋର ୨ଟି ସାଟେଲାଇଟ୍ ମଧ୍ୟ ଏହି ଅପରେସନ୍ରେ ନିୟୋଜିତ ହୋଇଥିଲା। ଦୀର୍ଘ ୮ ଦିନର ବିଶାଳ ସର୍ଚ୍ଚ ଅପରେସନ୍ ପରେ ବାୟୁସେନାର ପରିବହନ ବିମାନ ଏଏନ୍-୩୨ର ଭଗ୍ନାବଶେଷକୁ ୧୧ ତାରିଖ ଦିନ ଠାବ କରାଯାଇଥିଲା। ଅରୁଣାଚଳ ପ୍ରଦେଶର ପାହାଡ଼ ଘେର ଭିତରେ ଅତ୍ୟନ୍ତ ରହସ୍ୟଜନକ ଭାବେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ମୃତ ୧୩ ଜଣଙ୍କ ମଧ୍ୟରେ ୬ ଜଣ ଅଧିକାରୀ ଏବଂ ୭ ଜଣ ବାୟୁସେନା କର୍ମଚାରୀ ରହିଥିଲେ | ଆଉ ସେମାନଙ୍କ ମଧ୍ୟରେ ସୁନିତ ମଧ୍ୟ ଥିଲେ |
ସୁନିତଙ୍କ ବିଷୟରେ ଅଳ୍ପକିଛି
ସୁନିତଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଆମ୍ବପୁଆ ପଞ୍ଚାୟତର ବଳିଆପଲ୍ଲୀ ଗ୍ରାମରେ। ସୁନିତ ବାୟୁସେନାରେ ମେକାନିକାଲ ଇଞ୍ଜିନିୟର ଭାବେ ୨୦୧୨ରେ ବାୟୁସେନାରେ ଯୋଗ ଦେଇଥିଲେ। ତାଙ୍କ ବାପା ସୁରେନ୍ଦ୍ରନାଥ ମହାନ୍ତି ମଧ୍ୟ ବାୟୁସେନାର ଗ୍ରୁପ କ୍ୟାପଟେନ ଭାବେ ୨୦୧୦ରେ ଅବସର ଗ୍ରହଣ କରିଥିଲେ । ୧୯୯୦ ମସିହା ନଭେମ୍ବର ୭ତାରିଖରେ ଚେନ୍ନାଇର ମିଲିଟାରୀ ହସ୍ପିଟାଲରେ ସୁନିତଙ୍କ ଜନ୍ମ ହୋଇଥିଲା। ତେବେ ତାଙ୍କ ପିଲାବେଳ ଦିଲ୍ଲୀରେ କଟିଥିଲା। ବାପା ସୁରେନ୍ଦ୍ର ବାୟୁସେନାରେ ଚାକିରି କରୁଥିବାରୁ ତାଙ୍କର ବିଭିନ୍ନ ସ୍ଥାନକୁ ବାରମ୍ବାର ବଦଳି ହେଉଥିଲା। ତେଣୁ ସୁନିତ ମଧ୍ୟ ଆଗ୍ରା, ଚଣ୍ତିଗଡ଼, କୋଏମ୍ବାଟୁର ଓ କୋଟା, ଦିଲ୍ଲୀ ସ୍ଥିତ ବାୟୁସେନାର କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ଜାମସେଦ୍ପୁର ସ୍ଥିତ ଏନ୍ଆଇଟିରୁ ବି ଟେକ୍ ପାସ କରିବା ପରେ ୨୦୧୪ ମସିହାରେ ବାୟୁସେନାରେ ଫ୍ଲାଇଙ୍ଗ ପାଇଲଟ ଭାବେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/1720de7b-68fd-453c-a4a1-3806286061eb.jpg)