ନୂଆଦିଲ୍ଲୀ : କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରରେ ଶ୍ରୀବଳଦେବଜିଉଙ୍କ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯିବ କି ନାହିଁ, ଆଜି ଏହି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ମାମଲାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି. ରମଣା, ଜଷ୍ଟିସ୍ ଏ.ଏସ୍. ବୋପାନ୍ନା ଏବଂ ଜଷ୍ଟିସ୍ ହୃଷିକେଶ ରାୟଙ୍କ ଖଣ୍ଡପୀଠରେ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଛି।
ଶ୍ରୀବଳଦେବଜିଉଙ୍କ ରଥଯାତ୍ରାର ଆୟୋଜନ ପାଇଁ ସୁପ୍ରିମକୋର୍ଟରେ ଦୁଇଟି ସଂସ୍ଥା ଦ୍ବାରା ଦୁଇଟି ଏସ୍ଏଲ୍ପି ତଥା ବଳଦେବଜିଉଙ୍କ ସେବକ ଓ ଅନ୍ୟମାନଙ୍କ ଦ୍ବାରା ଦୁଇଟି ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇଛି। ଆସନ୍ତାକାଲି ସମସ୍ତ ଏସ୍ଏଲ୍ପି ଓ ଆବେଦନଗୁଡ଼ିକର ଏକତ୍ର ଶୁଣାଣି ହେବ। ବଳଦେବଜିଉଙ୍କ ରଥଯାତ୍ରା ଆୟୋଜନ ପ୍ରସଙ୍ଗରେ ଜୁନ୍ ୨୩ରେ ଓଡ଼ିଶା ହାଇକୋର୍ଟ ହସ୍ତକ୍ଷେପ କରିବାରୁ ମନା କରିଦେଇଥିଲେ। ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଜୁନ ୨୩ ରାୟ ଓ ଜୁନ ୧୦ରେ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ଗତ ବର୍ଷ ଭଳି ଚଳିତ ବର୍ଷ କେବଳ ପୁରୀ ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ରଥଯାତ୍ରା ଆୟୋଜନ କରାଯିବ ବୋଲି ଆଦେଶକୁ ମଧ୍ୟ ଚ୍ୟାଲେଞ୍ଜ୍ କରାଯାଇଛି। ସୁପ୍ରିମକୋର୍ଟରେ ଆବେଦନକାରୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ୍ମାନଙ୍କରେ କୋଭିଡ୍ କଟକଣା ମଧ୍ୟରେ ଶ୍ରୀବଳଦେବଜିଉଙ୍କ ମନ୍ଦିରରେ ରଥଯାତ୍ରା ପାଇଁ ଅନୁମତି ଲୋଡ଼ାଯାଇଛି। ୨୦୨୦ରେ କେବଳ ପୁରୀ ରଥଯାତ୍ରାକୁ ୧୧ଟି ସର୍ତ୍ତ ସହ ଆୟୋଜନ ପାଇଁ ଅନୁମତି ଦିଆଯାଇ ଥିଲା। ଗତବର୍ଷ ଭଳି କେବଳ ପୁରୀରେ ରଥଯାତ୍ରା ଅନୁମତି ଦେବା ନିଷ୍ପତ୍ତିକୁ କାଏମ ରଖିବେ ନା ଆଉ କିଛି ଆଭିମୁଖ୍ୟ ପୋଷଣ କରିବେ ସେ ନେଇ ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ଉପରେ ସମସ୍ତଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Supreme-Court.jpeg)