ତାଳଚେରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ବିଚାରଯୋଗ୍ୟ ନୁହେଁ

ନୂଆଦିଲ୍ଲୀ : ଆବେଦନରେ ବିସଙ୍ଗତି ଥିବା ଯୋଗୁଁ ତାଳଚେରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ପ୍ରସ୍ତାବ ଉପରେ ବିଚାର କରାଯାଇପାରିନାହିଁ। ରାଜ୍ୟ ସରକାରଙ୍କ ପାଖରୁ ତାଳଚେରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଆସିଥିଲା। କିନ୍ତୁ ଯାଞ୍ଚ ପରେ ସେଥିରେ ବିସଙ୍ଗତି ଥିବା ଜଣାପଡ଼ିଥିଲା। ଏନେଇ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ନଭେମ୍ବର ୨୦୧୮ରେ ସୂଚିତ କରିଦିଆଯାଇଥିଲା। ବିସଙ୍ଗତି ଦୂର କରାଯିବା ପରେ ପ୍ରସ୍ତାବ ଉପରେ ବିଚାର କରାଯାଇ ପାରିବ ବୋଲି ସାଂସଦ ମହେଶ ସାହୁଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହିଭଳି ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ।

ଅନ୍ୟପକ୍ଷରେ, ସାଂସଦ ରମେଶ ଚନ୍ଦ୍ର ମାଝିଙ୍କର ଓଡ଼ିଶା ସମେତ ଦେଶର ପ୍ରତ୍ୟେକ ଜିଲ୍ଲାରେ ମହିଳା ପଲିଟେକ୍ନିକ୍ ଇଞ୍ଜିନିୟରିଂ ଓ ପିଜି କଲେଜ ପ୍ରତିଷ୍ଠା କରିବାକୁ ନେଇ ଯୋଜନା ଥିବା ସମ୍ପର୍କରେ କରାଯାଇଥିବା ଅଣତାରକା ପ୍ରଶ୍ନରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଏଭଳି କୌଣସି ଯୋଜନା ନଥିବା ଉତ୍ତରରେ କହିଥିଲେ। ସେହିଭଳି ସାଂସଦ ଶର୍ମିଷ୍ଠା ସେଠୀଙ୍କ ଦ୍ବାରା ଆମ୍ବେଦକର ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବା ସମ୍ପର୍କରେ ଉତ୍ତର ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ କହିଥିଲେ, ଆମ୍ବେଦକର ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଦ୍ବାରା ପ୍ରସ୍ତାବ ରହିଛି। ମାତ୍ର, ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଅନୁମୋଦନ କରାଯାଇ ନାହିଁ।

ସମ୍ବନ୍ଧିତ ଖବର