କେନ୍ଦ୍ରୀୟ ବିଦ୍ୟାଳୟର ସକାଳ ପ୍ରାର୍ଥନାରେ ଶ୍ଳୋକ ବାଧ୍ୟତାମୂଳକ ପ୍ରସଂଗ: ବିଚାର ପାଇଁ ସାମ୍ବିଧାନିକ ଖଣ୍ଡପୀଠ ଗଠନ ଚିନ୍ତା କରୁଛନ୍ତି ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଳୀ: କେନ୍ଦ୍ରୀୟ ବିଦ୍ୟାଳୟର ସକାଳ ପ୍ରାର୍ଥନାରେ ସଂସ୍କୃତ ଓ ହିନ୍ଦି ଶ୍ଳୋକ ଗାଇବା ବାଧ୍ୟତାମୂଳକ କରିବା ପାଇଁ  ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହେବାର ମାସେ ପରେ ସୁପ୍ରିମ୍‌କୋର୍ଟ ଏହି ମାମଲାର ବିଚାର  କରିବା ପାଇଁ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିବା ପାଇଁ ଚିନ୍ତା କରୁଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟରେ ସକାଳ ପ୍ରାର୍ଥନାରେ ଶ୍ଳୋକ ସାମିଲ୍‌ କରାଇବା  ସାମ୍ପ୍ରଦାୟିକ କି ନୁହେଁ ତାହା ବିଚାର କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଦୁଇ ଜଣିଆ ଖଣ୍ଡପୀଠ ଗଠନର ନିଷ୍ପତ୍ତି ନେଇଛନ୍ତି।

ନିକଟରେ ୨୦୧୮ ଜାନୁଆରି ୧୦ ତାରିଖରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାର ବିରୋଧରେ ଯାଇ ମଧ୍ୟପ୍ରଦେଶର ବିନାୟକ ଶାହା ନାମକ ଜଣେ ବ୍ୟକ୍ତି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାକୁ ସୁପ୍ରିମ୍‌କୋର୍ଟର ଦୁଇ ବିଚାରପତି  ଫଲି ନରିମାନ୍ ଓ ନବୀନ ସିହ୍ନା ବିଚାର କରି ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପ୍ରସଂଗ ଦର୍ଶାଇ ଏହାର ବିଚାର ସୁପ୍ରିମ୍‌କୋର୍ଟରେ ଏକ ସାମ୍ବିଧାନିକ ଖଣ୍ଡପୀଠରେ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାର ବିଚାର କରି ଖଣ୍ଡପୀଠରେ ବି କୁହାଯାଇଥିଲା ଯେ ଏହା ଏକ ସାମ୍ବିଧାନିକ ପ୍ରଶ୍ନ, ଯାହାର କି ତଦନ୍ତ କରିବାର ଆବଶ୍ୟକତା ରହିଛି। ଏହା ଏକ ନିର୍ଦ୍ଦିଷ୍ଟ ଧର୍ମକୁ ପ୍ରୋତ୍ସାହନ ଦେଉଛି କି ନାହିଁ ଏହାର ଉତ୍ତର ରଖିବାକୁ ସୁପ୍ରିମ୍‌କୋର୍ଟ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ୨ ସପ୍ତାହ ସମୟ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ବିନାୟକ ଶାହାଙ୍କ ଦ୍ୱାରା ଦାୟର ହୋଇଥିବା ଯାଚିକାରେ କୁହାଯାଇଥିଲା ଯେ ବିଦ୍ୟାଳୟରେ ସକାଳୁ ଯେଉଁ ସଂସ୍କୃତ ଓ ହିନ୍ଦି ଶ୍ଳୋକ ପଢ଼ିବା ପାଇଁ ମାନବ ସମ୍ବଳ ବଭାଗ ପକ୍ଷରୁ କୁହାଯାଇଛି ତାହା ହିନ୍ଦୁ ଧର୍ମକୁ ପ୍ରୋତ୍ସାହନ ଦେଉଛି, ଯାହାକି ଭାରତୀୟ ସମ୍ବିଧାନର ଧାରା ୨୮(୧)(ଏ), ୨୫(୧)ର ବିରୋଧୀ।

ସମ୍ବନ୍ଧିତ ଖବର