ନୂଆଦିଲ୍ଲୀ ପରେଡ ଦେଖିବେ କେନ୍ଦୁଝରର ଜୁଆଙ୍ଗ ଦମ୍ପତି

ନୂଆଦିଲ୍ଲୀ : ନୂଆଦିଲ୍ଲୀଠାରେ ଆସନ୍ତା ଜାନୁଆରି ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ ଦେଖିବେ କେନ୍ଦୁଝର ଜିଲ୍ଲା ତଳସୁମଠ ଗ୍ରାମର ଜୁଆଙ୍ଗ ଦମ୍ପତି ରତ୍ନାକର ଓ ସୁଲୋଚନା। ଦୁହେଁ ଭିଆଇପି ଗ୍ୟାଲେରୀରେ ଅନ୍ୟମାନଙ୍କ ସହ ବସି ପରେଡର ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଉପଭୋଗ କରିବେ।

ଚଳିତବର୍ଷ ଗଣତନ୍ତ୍ର ଦିବସ ପରେଡ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରୁ ଆଦିବାସୀ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ଅତିଥି ତାଲିକାରେ ରହିଛନ୍ତି କେନ୍ଦୁଝରର ଏହି ଜୁଆଙ୍ଗ ଦମ୍ପତି। ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନରହରି ପାତ୍ରଙ୍କ ତତ୍ତ୍ବାବଧାନରେ ଦୁହେଁ ବିମାନରେ ଆସି ଗତକାଲି ଏଠାରେ ପହଞ୍ଚିିଥିଲେ। ଆସିଲାବେଳେ ଦୁହେଁ ଆଦିବାସୀ ପାରମ୍ପରିକ ପୋଷାକ ପରିଧାନ କରିଥିଲେ।

ଦୁହେଁ ଏବେ ଦିଲ୍ଲୀର ନେହେରୁ ଯୁବକେନ୍ଦ୍ରର ହଷ୍ଟେଲରେ ଅବସ୍ଥାନ କରୁଛନ୍ତି। ସେମାନେ ଦିଲ୍ଲୀରେ ୧୦ ଦିନ ରହିବା ଭିତରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ତଥା କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଭିଆଇପି ଗ୍ୟାଲେରୀରେ ବସି ପରେଡ ଦେଖିବା ନେଇ ସେମାନେ ଅତ୍ୟନ୍ତ ଖୁସି ଏବଂ ଏହା ଜୁଆଙ୍ଗ ସମ୍ପ୍ରଦାୟ ପାଇଁ ଗର୍ବର ବିଷୟ ବୋଲି ଦୁହେଁ ‘ସମ୍ବାଦ’କୁ କହିଛନ୍ତି। ଗାଁରେ ଶିକ୍ଷାର ପ୍ରସାର ଲାଗି ଅଧିକ ସହାୟତା ପ୍ରଦାନ କରିବା ପାଇଁ ସେମାନେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି।

ପ୍ରକାଶଥାଉକି, ରତ୍ନାକର ଓ ସୁଲୋଚନା ଗାଁରେ ଧାନ ଓ ପନିପରିବା ଚାଷ କରିବା ସହିତ ନିଜର ୫ ସନ୍ତାନଙ୍କୁ ଶିକ୍ଷିତ କରାଇପାରିଛନ୍ତି।

ସମ୍ବନ୍ଧିତ ଖବର