ସିଏଏ ପ୍ରତ୍ୟାହାର ଦାବିରେ କେରଳ ବିଧାନସଭାରେ ସଂକଳ୍ପ ଗୃହୀତ

ତିରୁଅନନ୍ତପୁରମ୍‌ : ସିଏଏ (ନାଗରିକତା ସଂଶୋଧନ ଆଇନ) ପ୍ରତ୍ୟାହାର ଦାବିରେ କେରଳ ବିଧାନସଭା ଆଜି ଏକ ସଙ୍କଳ୍ପ ଗୃହୀତ କରିଛି। ‌ଦେଶରେ ପ୍ରଥମ ରାଜ୍ୟ ଭାବେ କେରଳ ସିଏଏ ପ୍ରତ୍ୟାହାର ଦାବିରେ ସଂକଳ୍ପ ଗୃହୀତ କରିଛି। ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ରାଜ୍ୟରେ ସିଏଏ କାର୍ଯ୍ୟକାରୀ କରିବେନି ବୋଲି ଦାବି କରିଥିଲେ ସୁଦ୍ଧା ସିପିଏମ୍‌ ଶାସିତ କେରଳ ପ୍ରଥମ ରାଜ୍ୟ ଭାବେ ଏହି ଆଇନକୁ ବିରୋଧ କରିବାପାଇଁ ବିଧାନସଭାରେ ସଙ୍କଳ୍ପ ଗୃହୀତ କରାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ରାଜ୍ୟ ବିଧାନସଭାରେ ଏହି ସଙ୍କଳ୍ପ ଆଣିଥିଲେ। ଦଳମତ ନିର୍ବିଶେଷରେ ଶାସକ ସିପିଏମ୍‌ ନେତୃତ୍ବାଧୀନ ଏଲଡିଏଫ୍‌ ଏବଂ ବିରୋଧୀଦଳ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍‌ ପୁଣିଥରେ ସିଏଏ ବି‌ରୋଧରେ ମିଳିତ ଭାବେ ଆଗେଇ ଆ‌ସିଥିଲେ।। ଉଭୟ ସାମ୍ମୁଖ୍ୟର ସମସ୍ତ ସଦସ୍ୟ ସର୍ବସମ୍ମତି କ୍ରମେ ଏହି ସଙ୍କଳ୍ପପତ୍ରକୁ ସମର୍ଥନ କରିଥିବାବେଳେ ଏକମାତ୍ର ବିଜେପି ବିଧାୟକ ଓ ରାଜଗୋପାଳ ଏହି ସଙ୍କଳ୍ପପତ୍ରକୁ ବିରୋଧ କରିଥିଲେ। ସଂସଦର ଉଭୟ ଗୃହରେ ସିଏଏ ଆଇନ ଗୃହୀତ ହେବାରୁ ଏଭଳି ସଙ୍କଳ୍ପପତ୍ର ବେଆଇନ ବୋଲି ରାଜଗୋପାଳ କହିଥିଲେ।

ଏସ୍‌ସି ଏସ୍‌ଟି ସମ୍ପ୍ରଦାୟ ପାଇଁ ସଂରକ୍ଷଣ ପ୍ରସଙ୍ଗରେ ଆଜି ରାଜ୍ୟ ବିଧାନସଭାରେ ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିବାବେଳେ ଏହି ଅଧିବେଶନରେ ହିଁ ସିଏଏ ପ୍ରତ୍ୟାହାର ପାଇଁ ଭୋଟ୍‌ ଗ୍ରହଣ ହୋଇଥିଲା। ସଙ୍କଳ୍ପପତ୍ର ଉପସ୍ଥାପନ କରି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ‌କହିଥିଲେ ଯେ, ସିଏଏ ଧର୍ମନିରପେକ୍ଷ ଦୃଷ୍ଟିକୋଣର ବିରୁଦ୍ଧାଚରଣ କରୁଛି ଏବଂ ଏହାଦ୍ବାରା ନାଗରିକତା ମଂଜୁରି କ୍ଷେତ୍ରରେ ଧାର୍ମିକ ଭେଦଭାବ ସୃଷ୍ଟି ‌ହେବ। ସମ୍ବିଧାନର ମୌଳିକ ନୀନି ନିୟମକୁ ଏହି ଆଇନ ବିରୁଦ୍ଧାଚରଣ କରୁଛି ବୋଲି ବିଜୟନ କହିଥିଲେ।

ସମ୍ବନ୍ଧିତ ଖବର