ମାଲାପ୍ପୁରମ୍: କେରଳରେ ଭୁଶୁଡିଲା ଦର୍ଶକ ଗ୍ୟାଲେରୀ। କ୍ୟାମେରାରେ କଏଦ ହେଲା ୨୦୦ଲୋକ ଚାପି ହୋଇଯିବାର ଦୃଶ୍ୟ। ଶନିବାର ରାତିରେ ଉତ୍ତର କେରଳର ମାଲାପ୍ପୁରମ୍ ଜିଲ୍ଲାର ବନ୍ଦୁର ନିକଟରେ ଥିବା ଫୁଟବଲ୍ ଷ୍ଟାଡିୟମର ମ୍ୟାଚ୍ ଚାଲୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ଫୁଟବଲ ମ୍ୟାଚ୍ ବେଳେ ଏକ ଅସ୍ଥାୟୀ ଦର୍ଶକ ଗ୍ୟାଲେରୀ ଭୁଶୁଡ଼ିବା ପରେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି।
ପୁଲିସର ସୂଚନାନୁସାରେ, ୨୦୦ ଲୋକ ଚାପି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପାଞ୍ଚଜଣ ଗୁରୁତର ଆହତ ହୋଇଛନ୍ତି। ମ୍ୟାଚ୍ ଆରମ୍ଭ ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଦୁଇଟି ସ୍ଥାନୀୟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯାଉଥିବା ବେଳେ ରାତି ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଥିଲା। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅସ୍ଥାୟୀ ଦର୍ଶକ ଗ୍ୟାଲେରୀରେ ୨,୦୦୦ ରୁ ଅଧିକ ଦର୍ଶକ ବସିଥିଲେ ବୋଲି କହିଛି ପୁଲିସ।
#WATCH Temporary gallery collapsed during a football match in Poongod at Malappuram yesterday; Police say around 200 people suffered injuries including five with serious injuries#Keralapic.twitter.com/MPlTMPFqxV
— ANI (@ANI) March 20, 2022
ଭାଇରାଲ ହେଉଥିବା ଭିଡିଓ ସ୍ପଷ୍ଟ ଦେଖାଯାଇଛି ଯେ, ଅସ୍ଥାୟୀ ଦର୍ଶକ ଗ୍ୟାଲେରୀରେ ଦର୍ଶକ ବସିଥିବା ବେଳେ ହଠାତ୍ ଦର୍ଶକ ଗ୍ୟାଲେରୀଟି ଭାଙ୍ଗି ପଡ଼ୁଛି। ଏହା ପରେ ପରେ ମ୍ୟାଚ୍ ପାଇଁ ଲାଗିଥିବା ଲାଇଟ୍ ଖୁଣ୍ଟ ମଧ୍ୟ ତଳକୁ ଖସି ପଡ଼ୁଛି। ଏହା ଦେଖି ସେଠାରେ ଥିବା ଲୋକେ ତୁରନ୍ତ ଚାପିହୋଇଯାଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଦୌଡ଼ି ଯାଉଛନ୍ତି।