କେରଳରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ

ମହାପୁରୁଷଙ୍କୁ ଅପମାନ ଜାରି, ତାମିଲନାଡ଼ୁରେ ଆମ୍ବେଦକରଙ୍କ ମୂର୍ତ୍ତି ବିରୂପ କଲେ

ନୂଆଦିଲ୍ଲୀ: ବିଜେପିର ତ୍ରିପୁରା ବିଜୟ ପରେ ସାରା ଦେଶରେ ଲାଗି ରହିଛି ମୂର୍ତ୍ତି ଭଙ୍ଗା ରାଜନୀତି। ପ୍ରଥମେ ତ୍ରିପୁରାରୁ ଆରମ୍ଭ ହୋଇଥିବା ଏହି ମୂର୍ତ୍ତି ଭଙ୍ଗା ରାଜନୀତି ଏବେ ବିଭିନ୍ନ ରାଜ୍ୟକୁ ବ୍ୟାପିଛି। ବିଶୃଙ୍ଖଳ ଜନତାମାନେ ପ୍ରଥମେ ସୋମବାର ଦିନ ଦକ୍ଷିଣ ତ୍ରିପୁରାରେ ଦୁଇ ଲେନିନ୍‌ ପ୍ରତିମୂର୍ତ୍ତି ଭାଙ୍ଗିବାପରେ, ମଙ୍ଗଳବାର ଦିନ ତାମିଲନାଡ଼ୁରେ ସମାଜ ସଂସ୍କାରକ ପେରିୟାର ଏବଂ ଉତ୍ତରପ୍ରଦେଶରେ ସମ୍ବିଧାନ ପ୍ରଣେତା ଡକ୍ଟର ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଓ ବୁଧବାର ଦିନ କୋଲକାତାରେ ମୁଖାର୍ଜୀଙ୍କ ମୂର୍ତ୍ତି ଭାଙ୍ଗିଦେଇଥିଲେ। ତେବେ ଆଜି ପୁଣିଥରେ ଉତ୍ତର କେରଳର କନ୍ନୁର ଜିଲ୍ଲାରେ ଥାଳିପରମ୍ଭାରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଢେଲା ପଥର ମାଡ଼ କରି ଭାଙ୍ଗି ଦିଆାଯାଇଛି ଏବଂ ତାମିଲନାଡ଼ୁରେ ପୁଣିଥରେ ଡକ୍ଟର ବି ଆର ଆମ୍ବେଦକରଙ୍କ ମୂର୍ତ୍ତିକୁ ଆଜି ଲାଲ୍‌ ରଙ୍ଗ ବୋଳି ବିରୂପ କରାଯାଇଛି। ଥାଲିପରମ୍ଭା ଅଫିସ ସାମ୍ନାରେ ଥିବା ଗାନ୍ଧୀଙ୍କ ମୂର୍ତ୍ତି ଉପରକୁ ଆଜି ସକାଳେ ବିଶୃଙ୍ଖଳ ଜନତାମାନେ ଆକ୍ରମଣ କରିଥିଲେ। ତେବେ ସଙ୍ଗେସଙ୍ଗେ ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିଛନ୍ତି। ଗତକାଲି ବିଳମ୍ବିତ ରାତ୍ରିରେ କିଛି ବିଶୃଙ୍ଖଳ ଜନତା ତାମିଲନାଡ଼ୁର ଉତ୍ତର ଚେନ୍ନାଇରେ ଆମ୍ବେଦକରଙ୍କ ମୂର୍ତ୍ତି ଉପରେ ରଙ୍ଗ ଢାଳି ବିରୂପ କରିଦେଇଥିବା ଜଣାଯାଇଛି। ତିରୁଭୋତ୍ତିୟୁରର ବଜାର ଅଞ୍ଚଳରେ ଆମ୍ବେଦକରଙ୍କ ମୂର୍ତ୍ତିରେ ଲାଲ୍‌ ରଙ୍ଗ ବୋଳାଯାଇଥିବାର ଆଜି ସକାଳେ ଦେଖିବାକୁ ମିଳିଥିଲା। ସେହିପରି ଗତକାଲି ମଧ୍ୟ ଚେନ୍ନାଇରେ ପେରିୟାର ମୂର୍ତ୍ତି ଭଙ୍ଗା ପ୍ରସଙ୍ଗକୁ ନେଇ ପାଖାପାଖି ୮ ଜଣ ବ୍ରାହ୍ମଣଙ୍କ ପଇତା କାଟି ସେମାନଙ୍କୁ ଅପମାନିତ କରାଯାଇଥିଲା। ତେବେ ଗତକାଲି ଗୃହମନ୍ତ୍ରାଳୟ ପକ୍ଷରୁ ଏହି ମୂର୍ତ୍ତିଭଙ୍ଗା ପ୍ରସଙ୍ଗରେ ସମସ୍ତ ରାଜ୍ୟ ଗୁଡ଼ିକୁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ିନି। ଗତକାଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରୋ କୁହାଯାଇଥିଲା ଯେ କୌଣସି ବିଶୃଙ୍ଖଳା ଏବଂ ହିଂସାକାଣ୍ଡ ପାଇଁ ସମ୍ପୃକ୍ତ ଅଞ୍ଚଳର ଡିଏମ୍‌ ଏବଂ ଏସ୍‌ପି ବ୍ୟକ୍ତିଗତ ଭାବେ ଦାୟୀ ରହିବେ।

ସମ୍ବନ୍ଧିତ ଖବର