ତିରୁବନନ୍ତପୁରମ୍‌: ରୁଷ-ୟୁକ୍ରେନ ଯୁଦ୍ଧକୁ ଏହା ମଧ୍ୟରେ ୧୨ ଦିନ ବିତିଯାଇଛି। ରୁଷ ପ୍ରଥମେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ଅନେକ ଦେଶର ସମବେଦନା ୟୁକ୍ରେନକୁ ମିଳିଛି। ନିକଟ‌ରେ ୟୁକ୍ରେନକୁ ସମର୍ଥନ କରି କେରଳର ଏକ ରେଷ୍ଟୁରାଣ୍ଟ୍‌ ତା’ର ଖାଦ୍ୟ ମେନୁରୁ ‘ରୁଷିୟାନ୍ ସାଲାଡ୍‌’କୁ କାଟିଦେଇଛି।

Advertisment

କେରଳର ଫୋର୍ଟ କୋଚିର କାଶୀ ଆର୍ଟ କାଫେ ଏବଂ ଗ୍ୟାଲେରୀ ବାହାରେ ଏକ ପୋଷ୍ଟ୍‌ ଲଗାଯାଇ ଏହି ସୂଚନା ଦିଆଯାଇଛି। ସୂଚନା ପ୍ରକାଶ କରାଯାଇଥିବା ବୋର୍ଡର ଏକ ଫଟୋ ଅନ୍‌ଲାଇନ୍‌ରେ ଘୂରି ବୁଲୁଛି।

ରୁଷ ଯେଉଁଭଳି ଭାବେ ଫେବ୍ରୁଆରି ୨୪ ତାରିଖରେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଛି ତାହାକୁ ବିଭିନ୍ନ ଦେଶ ସମାଲୋଚନା କରିଛନ୍ତି। ଏହି ଘଟଣାକୁ ନିନ୍ଦା କରି ରେଷ୍ଟୁରାଣ୍ଟ୍‌ର ଖାଦ୍ୟ ମେନୁରୁ ‘ରୁଷିଆନ୍‌ ସାଲାଡ୍‌’କୁ ବାଦ୍‌ ଦିଆଯାଇଛି ବୋଲି ରେଷ୍ଟୁରାଣ୍ଟ୍‌ର ମାଲିକ ଏଡ୍ଡାର ପିଣ୍ଟୋ ଗଣମାଧ୍ୟମରେ କହିଛନ୍ତି।

ପିଣ୍ଟୋ ଆହୁରି ବି କହିଛନ୍ତି ଯେ ‘ଏହା ଆମ ରେଷ୍ଟୁରାଣ୍ଟ୍‌ର ପ୍ରଚାର  ଆଦ‌ୌ ବି ନୁ‌ହେଁ। ଆମେ କେବଳ ଯୁଦ୍ଧକୁ ନା ବୋଲି କହି ୟୁକ୍ରେନ୍‌କୁ ନିଜର ସମର୍ଥନ ଦେଇଛୁ।’

ଇଣ୍ଟର୍‌ନେଟ୍‌ରେ କେହି କେହି ଏହି ପଦକ୍ଷେପକୁ ସମର୍ଥନ କରୁଥିବା ବେଳେ ଆଉ କେହି କେହି ଖାଦ୍ୟ ମେନୁରୁ  ‘ରୁଷିଆନ୍‌ ସାଲାଡ୍‌’କୁ ବାଦ୍‌ ଦିଆଯାଇଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି।