ତିରୁଅନନ୍ତପୁରମ୍: ଶନିବାର ଦିନ କୋଲାମ୍ ଜିଲ୍ଲାରେ ରାସ୍ତାକଡ଼ରେ ଧାରଣା ଦେଇଥିବା ରାଜ୍ୟପାଳ ଅରିଫ୍ ମହମ୍ମଦ୍ ଖାନ୍ଙ୍କୁ କେରଳର ମୁଖ୍ୟମନ୍ତ୍ରୀ ପିନାରାଈ ବିଜୟନ୍ ସମାଲୋଚନା କରିଛି।
ଶନିବାର ଦିନ ‘ଷ୍ଟୁଡେଣ୍ଟ୍ସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ’ (ଏସ୍ଏଫ୍ଆଇ) କର୍ମୀମାନେ ରାଜ୍ୟପାଳଙ୍କ ଗାଡ଼ି ଆଡ଼କୁ କଳାପତାକା ଦେଖାଇଥିଲେ। ତେଣୁ, ରାଜ୍ୟପାଳ ଗାଡ଼ିରୁ ଓହ୍ଲାଇ ପଡ଼ି ପାଖ ଚା ଦୋକାନରୁ ଗୋଟାଏ ଚେୟାର୍ ଆଣି ରାସ୍ତାକଡ଼ରେ ଧାରଣା ଦେଲେ। ପୁଲିସକୁ ଭର୍ତ୍ସନା କରି ରାଜ୍ୟପାଳ ଖାନ୍ କହିଲେ ଯେ, କଳାପତାକା ଦେଖାଇ ପ୍ରତିବାଦ ଚଳାଇଥିବା ‘ଏସ୍ଏଫ୍ଆଇ’ କର୍ମୀମାନଙ୍କୁ ନିୟନ୍ତ୍ରଣ କରିବାରେ ପୁଲିସ ବିଫଳ ହୋଇଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟପାଳ ଖାନ୍ ଓ କେରଳ ରାଜଭବନ ପ୍ରତି କେନ୍ଦ୍ର ଗୃହ ମନ୍ତ୍ରାଳୟ ‘ଜେଡ୍+’ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟମନ୍ତ୍ରୀ ବିଜୟନ୍ କହିଛନ୍ତି, ‘ସିଆର୍ପିଏଫ୍’ ମୁତୟନ କରାଯିବା ଗୋଟାଏ ବିଚିତ୍ର କଥା। ‘ସିଆର୍ପିଏଫ୍’ କ’ଣ କେରଳରେ ପ୍ରତ୍ୟକ୍ଷ ଶାସନ ଚଳାଇବ? ‘ସିଆର୍ପିଏଫ୍’ କ’ଣ ମାମଲା ପଞ୍ଜୀକରଣ କରିପାରିବ?
ରାଜ୍ୟପାଳ ଖାଁଙ୍କ ନିର୍ଦେଶାନୁସାରେ କ’ଣ ‘ସିଆର୍ପିଏଫ୍’ କାମ କରିବ ବୋଲି ପଚାରା ଯିବାରୁ ମୁଖ୍ୟମନ୍ତ୍ରୀ ବିଜୟନ କହିଲେ ଯେ, ରାଜ୍ୟପାଳ ଅଭିଯୋଗ କରିଛନ୍ତି, ପୁଲିସ ତାଙ୍କ ନିର୍ଦେଶ ଅନୁଯାୟୀ କାମ କରୁନାହିଁ। କିନ୍ତୁ, କେହି ଆଇନର ଊର୍ଦ୍ଧ୍ବରେ ନୁହନ୍ତି।
ସୂଚନାଯୋଗ୍ୟ, ପିନାରାଈ ବିଜୟନ ସରକାର ଓ ରାଜ୍ୟପାଳ ମହମ୍ମଦ ଆରିଫ୍ ଖାନ୍ଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିବା ବେଳେ ଉପରୋକ୍ତ ଘଟଣା ଘଟିଛି।