ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ‘ଡ୍ୟାସବୋର୍ଡ’କୁ କେରଳ ମୁଖ୍ୟ ସଚିବଙ୍କ ପ୍ରଶଂସା: କଂଗ୍ରେସ, କେରଳ ମୁସଲିମ୍ ଲିଗ୍‌ର ସମାଲୋଚନା

ନୂଆଦିଲ୍ଲୀ: କେରଳ ମୁଖ୍ୟ ଶାସନ ସଚିବ ଭିପି ଜୟଙ୍କ ନେତୃତ୍ବାଧୀନ ଏକ ସରକାରୀ ପ୍ରତିନିଧି ଦଳ ଗୁରୁବାର ଗୁଜରାଟ ସୁଶାସନର ରହସ୍ୟ ଜାଣିବା ପାଇଁ ଅହମଦାବାଦ ଗସ୍ତ କରିଥିଲେ। ଏହି ଅବସରରେ ମୁଖ୍ୟ ସଚିବ ଜୟ ଗୁଜରାଟ ସରକାରଙ୍କ ‘ସିଏମ୍ ଡ୍ୟାସ୍‌ବୋର୍ଡ’ ବ୍ୟବସ୍ଥାକୁ ଖୁବ୍ ପ୍ରଶଂସା କରିଥିଲେ। ଏହି ବ୍ୟବସ୍ଥା ଦ୍ବାରା ଲୋକମାନେ ସରକାରୀ ସେବା ଠିକ୍ ଭାବରେ ପାଉଛନ୍ତି କି ନାହିଁ ତାହା ଜଣାପଡ଼ିବ ଏବଂ ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ଅନୁଧ୍ୟାନ କରାଯାଇପାରିବ ବୋଲି ସେ କହିଛନ୍ତି। ତେବେ କେରଳର ଏହି ପ୍ରତିନିଧି ଦଳ ବିଜେପି-ଶାସିତ ଗୁଜରାଟ ଗସ୍ତ କରିବାକୁ ନେଇ କଂଗ୍ରେସ ଓ କେରଳର ମୁସଲିମ୍ ଲିଗ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି।

ସିଏମ୍ ଡ୍ୟାସ୍‌ବୋର୍ଡ ହେଉଛି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଗାନ୍ଧୀନଗରସ୍ଥିତ ସରକାରୀ ବାସଭବନରେ ଥିବା ଏକ ବିରାଟ ସ୍କ୍ରିନ୍ ଯାହା ରିଅଲ ଟାଇମ୍ ଡାଟା ପ୍ରଦର୍ଶନ କରିଥାଏ। ଡ୍ୟାସ୍‌ବୋର୍ଡ ମନିଟରିଂ ବ୍ୟବସ୍ଥା କେମିତି କାମ କରୁଛି ଜାଣିବା ପାଇଁ ଜୟ ଓ ତାଙ୍କ ସାଙ୍ଗରେ ଆସିଥିବା ଅନ୍ୟ ଅଧିକାରୀ ମୁଖ୍ୟମନ୍ତ୍ରୀ ପଟେଲଙ୍କ ବାସଭବନକୁ ଯାଇଥିଲେ। ସେଠାରେ ସେମାନେ ପ୍ରାୟ ତିନିଘଣ୍ଟା ଅବସ୍ଥାନ କରିଥିଲେ। ହିତାଧିକାରୀମାନେ ସିଧାସଳଖ ନିଜର ମତାମତ ଦେବାର ବ୍ୟବସ୍ଥା ସୁଶାସନର ଏକ ନୂତନ ମାଇଲଖୁଣ୍ଟ ବୋଲି କେରଳ ମୁଖ୍ୟ ସଚିବ କହିଥିଲେ। ସାରା ରାଜ୍ୟର ଇ-ଗଭର୍ନାନ୍ସ ଆପ୍ଲିକେସନର ସମସ୍ତ ତଥ୍ୟ ଏହି ଡ୍ୟାସ୍‌ବୋର୍ଡରେ ଉପଲବ୍ଧ। ମୁଖ୍ୟମନ୍ତ୍ରୀ ଘରେ ବସି ସାରା ରାଜ୍ୟରେ କେଉଁଠି କ’ଣ ଘଟୁଛି, ହିତାଧିକାରୀମାନେ ଠିକ୍ ସେବା ପାଇପାରୁଛନ୍ତି କି ନାହିଁ ଜାଣିପାରୁଛନ୍ତି।

ହିତାଧିକାରୀଙ୍କ ଅଭିଯୋଗ ଭିତ୍ତିରେ ସ୍ଥାନୀୟ ଅଧିକାରୀଙ୍କୁ ଫୋନ୍ କରି ବିହିତ ପ୍ରତିକାର ବି କରିପାରୁଛନ୍ତି। ୨୦୨୧ରେ କରୋନା ମହାମାରୀ ଚରମରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଘରେ ବସି କେଉଁ ହସ୍ପିଟାଲରେ କେତେ ଶଯ୍ୟା ଅଛି, କେଉଁଠି ଅକ୍ସିଜେନର ଅଭାବ ଅଛି ସେସବୁ ଜାଣି ପାରୁଥିଲେ। ଏହାପରେ କେରଳ ପ୍ରତିନିଧି ଦଳ ଗାନ୍ଧୀନଗରର ବିଦ୍ୟା ସମୀକ୍ଷା କେନ୍ଦ୍ର ବା ସ୍କୁଲ୍‌ଗୁଡ଼ିକର କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ଯାଇଥିଲେ। ଜୟ କେରଳରେ ବି ଏମିତି କେନ୍ଦ୍ର ପ୍ରତିଷ୍ଠା ପାଇଁ ଆଗ୍ରହ ଦେଖାଇବାରୁ ଗୁଜରାଟ ସରକାର ତାଙ୍କୁ ଏ ବାବଦରେ ସହାୟତା କରିବା ଏବଂ ଆବଶ୍ୟକ ସଫ୍ଟୱେର ଓ ବୈଷୟିକ ବିଦ୍ୟା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି କେନ୍ଦ୍ରରେ ପ୍ରତିନିଧି ଦଳ ଏକଘଣ୍ଟା ଅବସ୍ଥାନ କରିବା ସହ ଭିଡିଓ ୱାଲ୍ ସିଷ୍ଟମ୍ ମାଧ୍ୟମରେ ଶିକ୍ଷକମାନଙ୍କ ସହ କଥା ହୋଇଥିଲେ।

ସମ୍ବନ୍ଧିତ ଖବର