ପିଏଫଆଇ ହିଂସା ଘଟାଇବା ପାଇଁ ପୂର୍ବରୁ ଷଡ଼ଯନ୍ତ୍ର କରିଥିଲା, ଦୋଷୀମାନେ ବର୍ତ୍ତିପାରିବେ ନାହିଁ : ବିଜୟନ୍

ତିରୁଅନନ୍ତପୁରମ : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଦ୍ବାରା ସାରା ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) କର୍ମୀମାନଙ୍କୁ ଗିରଫ ପ୍ରତିବାଦରେ ଶୁକ୍ରବାରଦିନ କେରଳରେ ହୋଇଥିବା ହିଂସାତ୍ମକ ବିକ୍ଷୋଭକୁ ନିନ୍ଦା କରିଛନ୍ତି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାଁ ଓ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ।

ବିଜୟନ କହିଛନ୍ତି ଯେ, ଏହି ହିଂସା ପାଇଁ ପୂର୍ବରୁ ପ୍ରସ୍ତୁତି କରାଯାଇଥିଲା ଓ ଦୋଷୀମାନଙ୍କୁ ଛଡ଼ା ଯିବ ନାହିଁ ।

ସେହିପରି ରାଜ୍ୟପାଳ ଖାଁ କହିଛନ୍ତି ଯେ ଯାହା ହେଲା ତାହା ସମ୍ପୂର୍ଣ୍ଣ ଅରାଜକତା । ଯେଉଁମାନେ ଆଇନକୁ ମାନୁ ନାହାନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ । ପୂର୍ବରୁ ବି ପିଏଫଆଇ ବିରୋଧରେ ଅନେକ ଅଭିଯୋଗ ରହିଛି ।

ଗୁରୁବାରଦିନ ଏନଆଇଏ ଏକା ସମୟରେ ୧୫ଟି ସ୍ଥାନରେ ଚଢଉ କରି ୧୦୬ ଜଣ ପିଏଫଆଇ ନେତାଙ୍କୁ ଗିରଫ କରିଥିଲା ।  ଏହାର ବିରୋଧରେ ପିଏଫଆଇ ପକ୍ଷରୁ ଶୁକ୍ରବାର ଧର୍ମଘଟ ଡକରା ଦିଆଯାଇଥିଲା ।

ଏହାର ପ୍ରତିବାଦରେ ପିଏଫଆଇ ପକ୍ଷରୁ ଶୁକ୍ରବାର କେରଳରେ ବନ୍ଦ ଡକରା ଦିଆଯାଇଥିଲା । ଏହି ବନ୍ଦ ପାଳନ ବେଳେ ବ୍ୟାପକ ହିଂସା ଦେଖାଦେଇଥିଲା । ସାଧାରଣ ଲୋକ ଓ ପୁଲିସ ଉପରକୁ ବି ଆକ୍ରମଣ କରାଯାଇଥିଲା । କୋଲ୍ଲାମ ଜିଲ୍ଲାର ପାଲିମୁକ୍କୁଠାରେ ଦୁଇଜଣ ବାଇକ ସବାର ପିଏଫଆଇ କର୍ମୀ ପୁଲିସ ଉପରକୁ ଆକ୍ରମଣ କରିଥିଲେ ।  କନ୍ନୁରର ମଟନ୍ନୁରଠାରେ ଥିବା ଏକ ଆରଏସଏସ (ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ) ଅଫିସ ଉପରକୁ ପିଏଫଆଇ କର୍ମୀମାନେ ପେଟ୍ରୋଲ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ । ରାଜଧାନୀ ତିରୁଅନନ୍ତପୁରମ୍ ଓ କୋଚିରେ ବି ପିଅଫଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

 

ସମ୍ବନ୍ଧିତ ଖବର