କମୁନାହିଁ କଂଗ୍ରେସ କନ୍ଦଳ! ପ୍ରିୟଙ୍କା ଓ ତାଙ୍କ ସ୍ୱାମୀଙ୍କ ପାଇଁ କେରଳ କଂଗ୍ରେସରେ ବିଦ୍ରୋହ

ତିରୁବନନ୍ତପୁରମ: ପାଞ୍ଚଟି ରାଜ୍ୟ ନିର୍ବାଚନରେ ​​ପରାଜୟର ସମ୍ମୁଖୀନ ହୋଇଥିବା କଂଗ୍ରେସ ଦଳ ସାମ୍ନାରେ କେରଳ କଂଗ୍ରେସର ବିଦ୍ରୋହ ଏବେ ଏକ ବଡ ଚିନ୍ତାର କାରଣ ପାଲଟିଛି। ତେବେ ଏହି ଵିଦ୍ରୋହ ପାଇଁ ସୋନିଆ ଗାନ୍ଧୀଙ୍କ ଝିଅ ତଥା କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଦାୟୀ ବୋଲି ଜଣାପଡିଛି | କାରଣ ମାର୍ଚ୍ଚ ୩୧ରେ କେରଳର ୩ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି ଏବଂ କେରଳ କଂଗ୍ରେସର ଏକମାତ୍ର ପ୍ରାର୍ଥୀଙ୍କ ନାମ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ।

ଏହି ଦ୍ବନ୍ଦ୍ବ ମଧ୍ୟରେ କେରଳ କଂଗ୍ରେସ ନେତାମାନେ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ରାଜ୍ୟସଭା ପ୍ରାର୍ଥୀକୁ ନେଇ ଅସନ୍ତୋଷ ଦେଖାଦେଇଛି କାରଣ ପ୍ରିୟଙ୍କା ଗାନ୍ଧୀ ଏବଂ ରବର୍ଟ ଭଦ୍ରା ତାଙ୍କ ଘନିଷ୍ଠ ସହଯୋଗୀ କୃଷ୍ଣନ ଶ୍ରୀନିବାସନଙ୍କୁ ରାଜ୍ୟସଭାକୁ ପଠାଇବାକୁ ଚାଁହୁଥିବାବେଳେ କେରଳ କଂଗ୍ରେସ ଏମ ଲିଜୁଙ୍କୁ ରାଜ୍ୟସଭାକୁ ପଠାଇବାକୁ ଚାହୁଁଛି | ଏମ ଲିଜୁ ଯୁବ କଂଗ୍ରେସର ନେତା ହୋଇଥିବାବେଳେ ଏହି ଦ୍ବନ୍ଦ୍ବ ମଧ୍ୟରେ କେରଳ କଂଗ୍ରେସ ସଭାପତି କେ ସୁଧାକରନ୍ ଦିଲ୍ଲୀରେ ପହଞ୍ଚି ସୋନିଆ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଛନ୍ତି।

ଏହି ବୈଠକ ପରେ କେରଳ କଂଗ୍ରେସ ଅଧ୍ୟକ୍ଷ କେ ସୁଧାକରନ୍ କହିଛନ୍ତି ଯେ ମୁଁ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଦଳର ନେତା ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଛି। ଉଭୟ ଲିଜୁ ଓ କୃଷ୍ଣନଙ୍କ ନାମ ପଠାଯିବ । ସୋନିଆ ଗାନ୍ଧୀ ଯାହାଙ୍କ ନାମରେ ମୋହର ମାରିବେ ଆମେ ତାହାଙ୍କୁ ପ୍ରାର୍ଥୀ କରିବୁ |ସୂଚନା ଥାଉ କି ଯେ କଂଗ୍ରେସର ଏ.କେ ଆଣ୍ଟୋନି, ସିପିଆଇର କେ ସୋମପ୍ରସାଦ ଏବଂ ଲୋକତାନ୍ତ୍ରିକ ଜନତା ଦଳ (ଏଲଜେଡି) ର ଏମ.ଭି. ଶ୍ରେୟମ୍ସ କୁମାରଙ୍କ କାର୍ଯ୍ୟକାଳ ସରିବାକୁ ଥିବାରୁ ମାର୍ଚ୍ଚ ୩୧ ରେ ତିନିଟି ଆସନ ପାଇଁ ନିର୍ବାଚନ ହେବ | ତେବେ ରାଜ୍ୟସଭା ନିର୍ବାଚନ ପାଇଁ ବିରୋଧୀ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡାନ୍ତ କରିନାହିଁ।

ସମ୍ବନ୍ଧିତ ଖବର