ବେଙ୍ଗାଲୁରୁ: ୨୧ ଦିନରେ ଦ୍ବିଗୁଣ ଟଙ୍କା! ଯେତେବେଳେ ରାଜୁ ଏପରି ଏକ ଯୋଜନା ବିଷୟରେ ଜାଣିଲେ, ସେ ଶ୍ୟାମ ଏବଂ ବାବୁରାଓ ଗଣପତରାଓ ଆପ୍ତେଙ୍କୁ ରାଜି କରାଇ ନିଜର ସର୍ବସ୍ବ ବିକ୍ରି ୧ କୋଟି ଟଙ୍କା ନିବେଶ କଲେ। ସେମାନଙ୍କର ବଙ୍ଗଳା ବିକ୍ରୟ କରି, କିଛି ଟଙ୍କା ଋଣ ନେଇ ତିନି ସପ୍ତାହ ମଧ୍ୟରେ ୨ କୋଟି ଟଙ୍କା ପାଇବାର ଆଶାରେ ଏହି ତିନି ଜଣ 'ଲକ୍ଷ୍ମୀ ଚିଟ୍ ଫଣ୍ଡ'ରେ ୧ କୋଟି ଟଙ୍କା ନିବେଶ କଲେ। ମାତ୍ର ୨୧ ଦିନ ପରେ ସେମାନେ ସବୁକିଛି ହରାଇ ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହେଲା ବେଳକୁ ଟଙ୍କା ଫେରାଇବା ବାଲା ଫେରାର୍‌। ଅର୍ଥାତ ସେମାନେ ପଡ଼ିଯାଆନ୍ତି ଚିଟ୍‌ଫଣ୍ଡ୍‌ ପାଲରେ। ଏହା ବଲିଉଡ୍ ଚଳଚ୍ଚିତ୍ର 'ଫିର୍ ହେରା ଫେରି'ର କାହାଣୀ।

Advertisment

‌ହେଲେ ଏବେ ବେଙ୍ଗାଲୁରୁରେ ଅବିକଳ ସେଇଭଳି ଏକ ମାମଲା ଘଟିିଛି। କେରଳର ଟମି ଏବଂ ସାଇନି ନାମକ ଏକ ଦମ୍ପତି ଉଚ୍ଚ ରିଟର୍ଣ୍ଣର ପ୍ରଲୋଭନ ଦେଖାଇ ଶହ ଶହ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ଏହି ଦମ୍ପତି ଗତ ୨୫ ବର୍ଷ ହେବ କେରଳରେ ରହୁଥିବା ବେଳେ ଏ ଆଣ୍ଡ୍‌ ଏ ନାମରେ ଏକ ଠକେଇ ସଂସ୍ଥା ଚଳାନ୍ତି। ସେ ନିବେଶକଙ୍କୁ ଖୁବ୍‌ କମ୍‌ ଦିନରେ ୧୫ରୁ ୨୦ ପ୍ରତିଶତ ସୁଧ ଲୋଭ ଦେଖାଇ ଟଙ୍କା ଠକି ନେଇ ଚାଲି ଯାଇଥିବା ଅଭି‌ଯୋଗ ହୋଇଛି। 

ଲୋକଙ୍କ ମନ ଜିଣିବାକୁ ଦମ୍ପତି ଆରମ୍ଭରୁ କିଛି ଟଙ୍କା ଦେଇଥିଲେ। ତା’ପରେ ଲୋକମାନେ ଯେବେ ବିଶ୍ବାସ କରି ଉଚ୍ଚ ରମକ ଲଗାଇବା ଆରମ୍ଭ କଲେ ତ ଦମ୍ପତି ସେ ସ୍ଥାନ ଛାଡ଼ି କେଉଁଆଡ଼େ ପଳାଇ ଯାଇଛନ୍ତି।