କରୋନା ଭୟ: ରାଜ୍ୟ ବିପତ୍ତି ଘୋଷଣା କଲେ କେରଳ ସରକାର, ଛୁଟି ନେଇପାରିବେ ନାହିଁ କେହି ବି ସ୍ବାସ୍ଥ୍ୟକର୍ମୀ

ତିରୁବନନ୍ତପୁରମ୍‌: ‘କରୋନା’କୁ ରାଜ୍ୟ ବିପତ୍ତି ଘୋଷଣା କଲେ କେରଳ ସରକାର । କେରଳରେ ତୃତୀୟ ରୋଗୀ ଚିହ୍ନଟ ହେବାପରେ କରୋନାକୁ ରାଜ୍ୟ ବିପତ୍ତି ଘୋଷଣା କରାଯାଇଛି । ମାରାତ୍ମକ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ଧୀରେ ଧୀରେ ବିଭିନ୍ନ ଦେଶ ତଥା ଭାରତରେ ମଧ୍ୟ କାୟା ବିସ୍ତାର କଲାଣି । କରୋନା ପାଇଁ କେରଳରେ ଆଲର୍ଟ ଜାରି କରି ଦିଆଯାଇଛି ।

କେରଳ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମରେ ଏପରି ଘୋଷଣା କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ଶୈଲଜା । ସ୍ୱାସ୍ଥ୍ୟବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରି ଦିଆଯାଇଛି । ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାର ପ୍ରୟାସ କରୁଛନ୍ତି । ଲୋକେ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରୁଛନ୍ତି।

www.itv.com

ସେପଟେ ଚୀନ ଛଡା ବିଶ୍ୱର ୨୬ଟି ଦେଶରେ ଏହି ଭୂତାଣୁରେ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇ ସାରିଲାଣି । କେବଳ ଚୀନରେ ୧୪ ହାଜର ଲୋକ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୪୨୫କୁ ଛୁଇଁଲାଣି । ସେହିପରି ଭାରତରେ କେବଳ କେରଳରୁ ୩ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । କେରଳରୁ ତୃତୀୟ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ, ଆକ୍ରାନ୍ତ ଜଣକ ନିକଟରେ ଚୀନ୍‌ର ଉହାନରୁ ଫେରିଥିବା ଜଣେ ଛାତ୍ର ବୋଲି ସୂଚନା ମିଳିଛି । ଅନ୍ୟ ଦୁଇଜଣ ଆକ୍ରାନ୍ତ ମଧ୍ୟ ଚୀନରୁ ଫେରିଥିବା ସୂଚନା ରହିଛି ।

 

ଏପଟେ କଟକ ସ୍ଥିତ ଏସସିବିରେ ଚୀନ ଫେରନ୍ତା ଦୁଇ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ସେମାନଙ୍କ ରକ୍ତ ଓ ଲାଳ ନମୂନା ସଂଗ୍ରହ କରାଯାଇ ପୁଣେକୁ ପଠାଯାଇଥିବା ବେଳେ ଚଳିତ ସପ୍ତାହ ଶେଷ ସୁଦ୍ଧା ରିପୋର୍ଟ ଆସିପାରେ । ପୂର୍ବରୁ ଓଡିଶାର ପାଂଚ ସନ୍ଦିଗ୍ଧ ଆକ୍ରାନ୍ତଙ୍କ ନେଗେଟଭି ରିପୋର୍ଟ ଆସିଛି ।

ସମ୍ବନ୍ଧିତ ଖବର