କେରଳ ମନ୍ତ୍ରୀଙ୍କ ବାହୁବଲୀ ଅବତାର, ବନ୍ୟା ପ୍ରପୀଡ଼ିତଙ୍କ ପାଇଁ କାନ୍ଧରେ ବୋହିଲେ ରିଲିଫ୍‌ ସାମଗ୍ରୀ

ତିରୁବନନ୍ତପୁରମ୍‌ : ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି କେରଳର ବନ୍ୟା ପରିସ୍ଥିତି । ପ୍ରତିଦିନ ଲୋକମାନଙ୍କର ସହାୟତାର ଖବର ସାମ୍ନାକୁ ଆସୁଛି । କେନ୍ଦ୍ର ତରଫରୁ ୬୦୦କୋଟି ଟଙ୍କା ସହାୟତା ରାଶି ଦିଆଯାଇଥିବା ବେଳେ ୧୪ ଦିନ ମଧ୍ୟରେ ଲୋକମାନେ ୭୧୩.୯୨କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଥିବା ଜଣାପଡ଼ିଛି । ଲୋକମାନଙ୍କ ସହାୟତାକୁ ଦେଖି କେରଳର ମୁଖ୍ୟମନ୍ତ୍ରୀ ଧନ୍ୟବାଦ୍‌ ଜଣାଇବା ସହ ଆହୁରି ଅଧିକ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି । ତେବେ କେରଳରେ ଉପୁଜୁଥିବା ବନ୍ୟା ପରିସ୍ଥିତି ପାଇଁ ସମସ୍ତେ ତତ୍ପରତାର ସହ କାମ କରୁଥିବାର ଦେଖାଯାଇଛି । ଏହି କାମରେ ପଛରେ ନାହାନ୍ତି କେରଳର ଶିକ୍ଷାମନ୍ତ୍ରୀ । କେରଳର ଶିକ୍ଷାମନ୍ତ୍ରୀ ସି.ରବିନ୍ଦ୍ରନାଥ ଲୋକମାନଙ୍କ ସାହାଯ୍ୟ ପାଇଁ ବାହୁବଲୀ ସାଜିଥିବା ଦେଖାଯାଇଛି । ରିଲିଫ ସାମଗ୍ରୀକୁ କାନ୍ଧରେ ବୋହି ରବିନ୍ଦ୍ରନାଥ ନେଉଥିବାର ଭିଡ଼ିଓ ମଙ୍ଗଳବାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ରବିନ୍ଦ୍ରନାଥଙ୍କୁ ଏର୍ଣ୍ଣାକୁଲମ ଜିଲ୍ଲାରେ ରିଲିଫ୍‌ ବାଣ୍ଟିବା ଦାୟିତ୍ୱରେ ରଖାଯାଇଛି। ସେ ରିଲିଫ୍‌ ବଣ୍ଟନ ଲାଗି ଯାଉଥିବା ବାଟରେ ସେ ଫସି ଯାଇଥିଲେ । ଗାଡ଼ି ଆଗକୁ ନ ଯିବାରୁ ରବିନ୍ଦ୍ରନାଥଙ୍କୁ ତ୍ରିଶୁରରେ ଅଟକିବାକୁ ପଡ଼ିଥିଲା । ଏହା ପରେ ତାଙ୍କୁ ତ୍ରିଶୁରର ବନ୍ୟ ପ୍ରପୀଡ଼ିତଙ୍କ ଦାୟିତ୍ୱ ନେବାକୁ କୁହାଯାଇଥିଲା । ଲୋକ କମ ଥିବାରୁ ନିଜେ ରିଲିଫ୍‌ ସାମଗ୍ରୀ ଟ୍ରକ୍‌ରୁ କାଢ଼ି ଗୋଦାମ ଭିତରକୁ ନେଇଥିଲେ ମନ୍ତ୍ରୀ । ଏହି ଘଟଣାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର