ଆଦର୍ଶ ପାଲଟିଛି କେରଳର କରୋନା ଲଢେ଼ଇ, ଶହେ ଦିନ ପରେ ସଂକ୍ରମଣ ହାର ମାତ୍ର ୦.୧%

ମୋଟ ୫୦୩ ସଂକ୍ରମିତଙ୍କ ମଧ୍ୟରୁ ୪୮୪ ସୁସ୍ଥ

ନୂଆଦିଲ୍ଲୀ: ଧନୀ ଗରିବ ନିର୍ବିଶେଷରେ ବିଶ୍ବର ପ୍ରତିଟି ଦେଶ ପାଇଁ ଅଧୁନା ଅପୂର୍ବ ଭୟର ବାତାବରଣ ଛାଇ ଦେଇଥିବା ମହାମାରୀ କୋଭିଡ୍–୧୯କୁ ମୁକାବିଲା କରିବା ହିଁ ପ୍ରଥମ ଓ ପ୍ରଧାନ କାର୍ଯ୍ୟ ପାଲଟିଛି। ତେବେ ଭାରତରେ ପ୍ରଥମ କରି କେରଳ ରାଜ୍ୟରେ ଦେଖାଦେଇଥିବା ଘାତକ ଅଭିନବ କରୋନା ଭୂତାଣୁ ସାର୍ସ–କୋଭ୍–୨ର ସଂକ୍ରମଣକୁ ଯେଭଳି ଭାବେ କାବୁ କରାଯାଇପାରିଛି ତାହା ହିଁ ସର୍ବତ୍ର ଚର୍ଚ୍ଚାର ବିଷୟ ହୋଇଛି। ଗତ ଜାନୁଆରି ୩୦ ତାରିଖରେ ଦେଶରେ ପ୍ରଥମ କରୋନା ଭୂତାଣୁକୁ ଚୀନ୍‌ର ଉହାନ ବିଶ୍ବବିଦ୍ୟାଳୟରୁ କେରଳର ତ୍ରିଶୂର ଫେରିଥିବା ଜଣେ ଛାତ୍ରଙ୍କ ଠାରେ ଠାବ କରାଯାଇଥିଲା। ତେବେ ଏହାର ଠିକ୍ ୧୦୦ ଦିନ ପରେ ମେ ୯ରେ ଉକ୍ତ ରାଜ୍ୟରେ ଚବିଶ ଘଣ୍ଟାରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ରେ ହିଁ ସୀମିତ ରହିଥିଲା। ଅର୍ଥାତ୍ ମୋଟାମୋଟି ଭାବେ ଏହି ୧୦୦ ଦିନ ପରେ କେରଳରେ କୋଭିଡ୍–୧୯ର ସଂକ୍ରମଣ ହାର ମାତ୍ର ୦.୧% ପ୍ରତିଶତ ରହିଛି ଯାହାକି ୫୦୦ରୁ ଅଧିକ ସଂଖ୍ୟକ ସଂକ୍ରମିତଙ୍କୁ ଧାରଣ କରିଥିବା ଦେଶର ଅନ୍ୟ ଯେ କୌଣସି ରାଜ୍ୟମାନଙ୍କ ତୁଳନାରେ ସର୍ବନିମ୍ନ। ଏପରିକି ପେରୁ, ମାଲେସିଆ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଇକ୍ବେଡର ଓ ନେଦରଲାଣ୍ଡ ପରି ଏହାଠାରୁ କମ୍ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ଅପେକ୍ଷା ମଧ୍ୟ କେରଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ କମ୍ ରହିଛି। ତେବେ କେରଳରେ କେଉଁ ବିକଳ୍ପ ପ୍ରକ୍ରିୟା ଅନୁସରଣ କରି କରୋନାର ଭୟାବହତାକୁ ଏପରି ସଫଳତାର ସହ ନିୟନ୍ତ୍ରଣ କରାଯାଇପାରିଲା, ତାହା ହିଁ ଆଲୋଚ୍ୟ ବିଷୟ ହୋଇଛି।

କରୋନା ସଂକ୍ରମଣକୁ ରୋକିବା ପାଇଁ କେରଳ ସରକାର ତ୍ବରିତ ନମୁନା ପରୀକ୍ଷଣକୁ ପ୍ରାଧାନ୍ୟ ଦେଇଥିଲେ। ସନ୍ଦିଗ୍ଧମାନଙ୍କୁ ତୁରନ୍ତ ଏବଂ ତତ୍କାଳ ଏକାନ୍ତବାସରେ ରଖିବା ହିଁ ଅନେକ ମାତ୍ରାରେ ସଂକ୍ରମଣକୁ ହ୍ରାସ କରିପାରିଛି। ଗତ ଏପ୍ରିଲ ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ ଯେତେବେଳେ ସଂକ୍ରମଣର ବ୍ୟାପକତା ଶୀର୍ଷରେ ପହ‌ିଥିଲା, ସେତେବେଳେ ପ୍ରତିଟି ସକ୍ରିୟ କରୋନା ରୋଗୀ ପାଇଁ ୫୫୦ ଜଣ ସନ୍ଦିଗ୍ଧଙ୍କୁ ଏକାନ୍ତବାସରେ ରଖାଯାଉଥିଲା। ସେହିପରି ରୋଗୀ ସଂଖ୍ୟା ୨୦୦ ଡେଇଁବା ବେଳେ ରୋଗୀ ସଂସ୍ପର୍ଶରେ ଆସିଥିବା ୫୫୦ରୁ ୭୫୦ ଜଣଙ୍କୁ ହିଁ ଏକାନ୍ତବାସରେ ରହିବା ପାଇଁ ବାଧ୍ୟ କରାଯାଇଥିଲା। ଏହିପରି ଭାବରେ ରାଜ୍ୟରେ ସଂକ୍ରମଣ ଶୀର୍ଷରେ ପହ‌ିଲା ବେଳକୁ ମୋଟ ଲକ୍ଷେ ୭୦ ହଜାର ଲୋକଙ୍କୁ ଏକାନ୍ତବାସରେ ରଖାଯାଇଥିବା ରେକର୍ଡ କହୁଛି। ଏପରିକି ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ୫୦୩ ଜଣ ରୋଗୀଙ୍କ ମଧ୍ୟରୁ ବର୍ତ୍ତମାନ ମାତ୍ର ୧୬ଟି ସକ୍ରିୟ ସଂକ୍ରମିତ ରହିଥିବା ବେଳେ ଅଦ୍ୟାବଧି ୨୦ ହଜାର ଲୋକ ଏକାନ୍ତବାସରେ ରହିଛନ୍ତିା

ଏହି ଦୁଃସାଧ୍ୟ ରୋଗରେ ମାତ୍ର ୪ ଜଣଙ୍କ ମୃତ୍ୟୁ ସହ ୪୮୪ ଜଣଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିପାରିବାର ବିରଳ କୃତିତ୍ବ ହାସଲ କରିପାରିଥିବା କେରଳ ରାଜ୍ୟ କରୋନା ଲଢେ଼ଇରେ ଅବଲମ୍ବନ କରିଥିବା ପଦ୍ଧତିଟି ହେଲା ସଂକ୍ରମଣ ହାରକୁ ଆବଶ୍ୟକ ଏକାନ୍ତବାସ, ତ୍ବରିତ ନମୁନା ପରୀକ୍ଷା ଏବଂ କ୍ଷିପ୍ର ଚିହ୍ନଟ ପ୍ରକ୍ରିୟା ଦ୍ବାରା ହ୍ରାସ କରାଇବା। ଏପରିକି ରାଜ୍ୟରେ କରୋନା ଭୂତାଣୁର ପ୍ରଥମ ସ୍ପର୍ଶ ଜଣାପଡି଼ବା ପରେ ପରେ ଅନେକ ସନ୍ଦିଗ୍ଧ ଲୋକଙ୍କୁ ଏକାନ୍ତବାସରେ ରଖାଯାଇଥିଲା। ସେହିପରି ଯେଉଁମାନଙ୍କଠାରେ କୋଭିଡ୍–୧୯ର ଲକ୍ଷଣ ଦେଖାଯାଉଥିଲା, ସେମାନଙ୍କର ନମୁନା ପରୀକ୍ଷା ତୁରନ୍ତ କରାଯାଉଥିଲା। ଫଳସ୍ବରୂପ କୌଣସି ପ୍ରକାର ବିକ୍ଷିପ୍ତ ଭାବେ ନମୁନା ପରୀକ୍ଷଣ କରାନଯାଇ ଖୁବ୍ କମ୍ ସଂଖ୍ୟାରେ ଆଶାନୁରୂପ ଫଳ ମିଳିପାରିଥିଲା। ଲକ୍‌ଡାଉନ୍‌ ଅବସରରେ ଶୀର୍ଷ ସଂକ୍ରମଣ ବେଳେ ଏକାନ୍ତବାସରେ ରହିଥିବା ଲୋକଙ୍କ ସଂଖ୍ୟା ମିଳିତ ଭାବେ ନମୁନା ପରୀକ୍ଷଣ ଏବଂ ଚିହ୍ନଟ ସଂଖ୍ୟାଠାରୁ ଅଧିକ ହେବା କାମନା କରାଯାଉଥିବା ବେଳେ କେରଳରେ ଏବେ ପ୍ରତି ସକ୍ରିୟ ରୋଗୀ ପାଇଁ ହାରାହାରି ୧୦୦ରୁ ଅଧିକ ଜଣଙ୍କୁ ଏକାନ୍ତବାସରେ ରଖାଯାଇଛି। କେରଳ ପାଇଁ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ହେଲା କରୋନା ସଂକ୍ରମଣ ବେଳେ ଏହାର ଡାକ୍ତରଖାନାଗୁଡି଼କରେ କେବେ ବି ଅତିଶୟ ଭିଡ଼ ଲାଗିନଥିଲା। ଏପରିକି ରାଜ୍ୟରେ ଯେତେବେଳେ କରୋନା ସଂକ୍ରମଣ ମାତ୍ରା ଶୀର୍ଷ ଛୁଇଁଥିଲା, ସେତେବେଳେ ମାତ୍ର ୮୧୬ ଜଣ ବିଭିନ୍ନ ରୋଗୀ ଡାକ୍ତରଖାନାମାନଙ୍କରେ ଚିକିତ୍ସିତ ହେଉଥିଲେ। ଏହିପରି ଭାବେ ଅତ୍ୟନ୍ତ ଧୈର୍ଯ୍ୟ ଏବଂ ଉତ୍ସାହର ସହ ଦୁଇଟି ପର୍ଯ୍ୟାୟ କରୋନା ଲଢେ଼ଇକୁ ସାମନା କରିସାରିଥିବା ରାଜ୍ୟବାସୀ ଆଗକୁ କୌଣସି ପ୍ରତିକୂଳ ପରିସ୍ଥିତି ଆସିଲେ ବି ତାହା ଟାଳିବାରେ ସକ୍ଷମ ହେବେ ବୋଲି ମୁଖ୍ୟମନ୍ତ୍ରୀ ପି. ବିଜୟନ୍ ଆଶାପୋଷଣ କରିଛନ୍ତି।

ସମ୍ବନ୍ଧିତ ଖବର