ତିରୁବନନ୍ତପୁରମ୍‌: ହେଲିକପ୍ଟର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ‘ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌’ ଜେନେରାଲ୍‌ ବିପିନ ରାୱତ୍‌ଙ୍କ ପ୍ରତି ଦିଆଯାଇଥିବା ଅସମ୍ମାନଜନକ ମନ୍ତବ୍ୟକୁ ନିନ୍ଦା କରି କେରଳୀ ଚଳଚ୍ଚିତ୍ର ନିର୍ମାତା ଅଲି ଆକବର କହିଛନ୍ତି, ଆପଣା ଧର୍ମରୁ ତାଙ୍କର ବିଶ୍ବାସ ତୁଟି ଯାଇଥିବାରୁ ସେ ଓ ତାଙ୍କ ପତ୍ନୀ ହିନ୍ଦୁ ଧର୍ମ ଗ୍ରହଣ କରିବେ।

Advertisment

ଜେନେରାଲ୍‌ ବିପିନ ରାୱାତଙ୍କ ମୃତ୍ୟୁ ସମ୍ବାଦ ପୋଷ୍ଟ୍‌ଗୁଡ଼ିକରେ ସହାସ୍ୟ ‘ଇମୋଟିକନ୍‌’ ଦେଇ ପ୍ରତିକ୍ରିୟା ପ୍ରକାଶ କରିଥିବା ବ୍ୟକ୍ତିମାନଙ୍କ ପ୍ରତି  ଅଲି ଆକବର ପୂର୍ବରୁ ମଧ୍ୟ ଏକ ଭିଡିଓରେ ଅ‌ସନ୍ତୋଷ ବ୍ୟକ୍ତ କରିଥିଲେ।

ବୁଧବାର ଦିନ ସେ ଘୋଷଣା କରିଥିଲେ ଯେ, ଆପଣା ଧର୍ମ ଉପରୁ ସେ ଆସ୍ଥା ହରାଇଛନ୍ତି। ଏଥର ସେ ଓ ତାଙ୍କ ପତ୍ନୀ ଲୁସିଆମ୍ମା ହିନ୍ଦୁ ହେବାକୁ ବାହାରିଛନ୍ତି।

ଅଲି ଅକବର ନିଜ ନାଁ ରାମସିଂହମ୍ ରଖିବେ ସ୍ଥିର କରିଛନ୍ତି। ସେ କହିଛନ୍ତି, ଆପଣା ସଂସ୍କୃତିକୁ ସମର୍ଥନ କରୁଥିବା ବେଳେ ରାମସିଂହମ୍‌ ନିହତ ହୋଇଥିଲେ। ସେଥିପାଇଁ ସେ ନାଁଟି ମୋ ପାଇଁ ଉପଯୁକ୍ତ।

ଜେନେରାଲ୍‌ ରାୱତ୍‌ଙ୍କ ମୃତ୍ୟୁ ଖବର ଉପରେ ଘୃଣ୍ୟ ମନ୍ତବ୍ୟ ଆସିବା ପରେ ଅଲି ଆକବର ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌କୁ ‘ଡିଆକ୍ଟିଭେଟ୍‌’ ବା ନିଷ୍କ୍ରିୟ କରି ପକାଇଥିଲେ। ଏଭଳି ମନ୍ତବ୍ୟ ପ୍ରତି କ‌ୌଣସି ଧାର୍ମିକ ନେତା ପ୍ରତିବାଦ ନ ଜଣାଇବାରୁ ମଧ୍ୟ ସେ ମର୍ମାହତ ହୋଇ ଧର୍ମ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

ନିଜର ନୂଆ ଗଣମାଧ୍ୟମ ଆକାଉଣ୍ଟ୍‌ରେ ସେ ଉପରୋକ୍ତ କଥା ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧର୍ମ ପରିବର୍ତ୍ତନ କରିବା ଲାଗି ସେ ତାଙ୍କ ଝିଅମାନଙ୍କୁ ବାଧ୍ୟ କରିବେ ନାହିଁ। ସେ କଥା ସେ ସେମାନଙ୍କ ଉପରେ ଛାଡ଼ିଦେବେ।

ପୂର୍ବରୁ ଅଲି ଆକବର ‘ବିଜେପି’ ରାଜ୍ୟ କମିଟିର ସଦସ୍ୟ ଥିଲେ। ଦଳର ନେତୃତ୍ବ ସହ ମନୋମାଳିନ୍ୟ ହେବାରୁ ସେ ସଦସ୍ୟତା ଛାଡ଼ି ଦେଇଥିଲେ।