କେରଳ ବେହାଲ୍‌ : ମୃତ୍ୟୁସଂଖ୍ୟା ୩୨୪ ଛୁଇଁଲା

ଥିରୁବନନ୍ତପୁରମ୍‌ : କେରଳରେ ବନ୍ୟା ସ୍ଥିତି ଆହୁରି ଭୟଙ୍କର ରୂପ ନେଇଛି। ଶତାବ୍ଦୀର ସବୁଠୁ ବଡ଼ ବନ୍ୟା ହେତୁ ରାଜ୍ୟରେ ୩୨୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ହଜାର ହଜାର ଲୋକ ବାସହରା ହୋଇଥିବା ବେଳେ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏବେ ୧୫୬୮ଟି ଆଶ୍ରୟସ୍ଥଳରେ ରହିଛନ୍ତି। ରାଜ୍ୟରେ ଏବେ ସମୁଦାୟ ୮୦ଟି ଡ୍ୟାମ୍‌ ଖୋଲାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ଥିତି ସମୀକ୍ଷା ପାଇଁ କେରଳରେ ଯାଇ ପହଞ୍ଚିଛନ୍ତି। ଆସନ୍ତାକାଲି ବନ୍ୟାଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ସ୍ଥିତି ସମୀକ୍ଷା କରିବେ । ୧୬ଟି ସ୍ଥଳ ସେନା ଦଳ, ୨୮ଟି ନୌସେନା ଦଳ ଏବଂ ୩୯ଟି ଏନ୍‌ଡିଆରଏଫ୍‌ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଏନ୍‌ଡିଆରଏଫ୍‌ ଦ୍ୱାରା ଏଯାବତ୍‌ ୪୦୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଆଜି ସ୍ପଷ୍ଟ କରିଛନ୍ତି ଯେ ଲଗାଣ ବର୍ଷା ହେତୁ ଗତ ଅଗଷ୍ଟ ୯ ତାରିଖରୁ ଏଯାବତ୍‌ ରାଜ୍ୟରେ ମୃତ୍ୟୁସଂଖ୍ୟା ୧୭୩ରେ ପହଞ୍ଚିଛି। ତେବେ ଚଳିତ ବର୍ଷା ଋତୁରେ ସମୁଦାୟ ୩୨୪ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ପିନାରାୟି ଘୋଷଣା କରିଛନ୍ତି। ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ କୋଚି ବିମାନବନ୍ଦର ବନ୍ଦ କରି ଦିଆଯାଇଛି। ପ୍ରସିଦ୍ଧ ହିଲ୍‌ ଷ୍ଟେସନ୍‌ ମୁନ୍ନାର ଗତ ଗୁରୁବାର ରାତିରେ ୧୨୭ ମିମି ବର୍ଷାଜଳ ଗ୍ରହଣ କରି ବାହ୍ୟ ଜଗତରୁ ବିଚ୍ଛିନ ହୋଇପଡ଼ିଛି। ରାଜ୍ୟର ଅର୍ଦ୍ଧାଧିକ ସହର ଓ ଗାଁଗୁଡ଼ିକ ଏବେ ଜଳମଗ୍ନ ହୋଇଯାଇଛି। ପେରିୟାର ନଦୀରୁ ବନ୍ୟାଜଳ ଏବେ ଏର୍ନାକୁଲମ୍‌ ଏବଂ ଥ୍ରିସୁର୍‌ର ଅନେକ ଅଞ୍ଚଳକୁ ବୁଡ଼ାଇ ଦେଇଛି। ଆଲାପୁଝା, ଏର୍ନାକୁଲମ୍‌, ଥ୍ରିସୁରରେ ୭୦ ପ୍ରତିଶତ ରାସ୍ତା ଜଳମଗ୍ନ ହୋଇ ରହିଥିବାରୁ ଭୟଙ୍କର ପରିସ୍ଥିତି ଉପୁଜିଛି। ପାନୀୟ ଜଳର ଘୋର ଅଭାବ ଦେଖା ଦେଇଥିବାରୁ ନୌସେନା ବାହିନୀ ୮ ଲକ୍ଷ ଲିଟର ଜଳ କୋଚିରେ ପହଞ୍ଚାଇଛି। ରେଡ୍‌ ଆଲର୍ଟ କରାଯାଇଥିବା ୧୪ଟି ଜିଲ୍ଲାରୁ ଏବେ ୨ଟି ଜିଲ୍ଲାରୁ ଆଲର୍ଟ ଉଠାଇ ନିଆଯାଇଛି।

ସମ୍ବନ୍ଧିତ ଖବର