କେରଳରେ ସ୍ଥିତି ସଂଗୀନ, ମୃତ୍ୟୁ ସଂଖ୍ୟା ୧୯୪ ଟପିଲା

କୋଚି: କେରଳରେ ବନ୍ୟାସ୍ଥିତି ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ପ୍ରବଳ ବର୍ଷା ଓ ବନ୍ୟାଫଳରେ ଗତ ଅଗଷ୍ଟ ୮ରୁ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୯୪ରେ ପହଞ୍ଚିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶମାର୍ଗରୁ ବନ୍ୟାସ୍ଥିତି ଆକଳନ କରିବା ସହ ତୁରନ୍ତ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା କଣ୍ଟ୍ରୋଲ ରୁମ ପକ୍ଷରୁ କୁହାଯାଇଛି ଯେ ବନ୍ୟା ଯୋଗୁଁ ଗତ ୧୦ ଦିନ ମଧ୍ୟରେ ପ୍ରାୟ ୧୯୪ ଜଣ ଲୋକ ମୃତ୍ୟୁ ବରଣ କରିଥିବାବେଳେ ପ୍ରାୟ ୩.୧୪ ଲକ୍ଷ ଲୋକଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତରୀତ କରାଯାଇଛି । କେରଳରେ ଥିବା ସବୁ ନଦୀବନ୍ଧରେ ପାଣି ବିପଦ ସଂକେତ ଉପରେ ବୋହୁଥିବାରୁ ଜଳନିଷ୍କାସନ ପାଇଁ ଗେଟ ଖୋଲାଯାଇଛି । କେରଳରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁଖ୍ୟମନ୍ତ୍ରୀ ପି.ବିଜୟନ ଓ ରାଜ୍ୟର ବରିଷ୍ଠ ଅଧକାରୀଙ୍କ ସହ ଏକ ବୈଠକରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ସେ କେରଳ ପାଇଁ ଅତିରିକ୍ତ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଏହା ସହିତ ମୃତବ୍ୟକ୍ତି ପିଛା ୨ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ତେବେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଆହୁରି ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସମ୍ବନ୍ଧିତ ଖବର