ଦେଶ ଛାଡ଼ି ଆବୁଧାବି ଚାଲି ଯାଇଥିବା କେରଳ କନ୍ୟା ଆତଙ୍କବାଦ ପାଇଁ ନୁହେଁ ପ୍ରେମ ପାଇଁ ଇସ୍‌ଲାମ ଗ୍ରହଣ କରିଛନ୍ତି

ବାପାମାଆ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ

ତିରୁବନନ୍ତପୁରମ: ଏପଟେ ଘର ଲୋକ ଝିଅର ଅପହରଣ ପରେ ଧର୍ମାନ୍ତରୀକରଣ କରାଯିବା ଅଭିଯୋଗ ଆଣିଥିବା ବେଳେ ସେପଟେ ନିଜ ଇଚ୍ଛାରେ ଆବୁଧାବି ଯାଇ ଇସ୍‌ଲାମ ଧର୍ମ ଗ୍ରହଣ କରିଥିବା ପ୍ରକାଶ କରି ସମସ୍ତଙ୍କୁ ଚକିତ କରାଇ ଦେଇଛନ୍ତି କେରଳ ଝିଅ ସିଆନା ବେନି। କିଛି ଦିନ ତଳେ କେରଳର ୧୯ ବର୍ଷୀୟା ଖ୍ରୀଷ୍ଟିୟାନ ଝିଅ ନିଖୋଜ ହେବା ପରେ ଗଣମାଧ୍ୟମରେ ଖବରଟି ବେଶ୍‌ ଚର୍ଚ୍ଚା ପାଲଟିଥିଲା। ଝିଅଟିକୁ ଅପହରଣ କରାଯାଇ ଜବର୍‌ଦସ୍ତ ଇସ୍‌ଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଛି ବୋଲି ବାପାମାଆ ଅଭିଯୋଗ ଆଣିଥିଲେ। ଖାଲି ସେତିକି ନୁହେଁ, ତାଙ୍କ ଝିଅକୁ ଆତଙ୍କବାଦରେ ସାମିଲ୍‌ କରାଯାଇପାରେ ବୋଲି ଆଶଙ୍କା ବି ପ୍ରକଟ କରିଥିଲେ। ମାତ୍ର ଏ ସମସ୍ତ ଅଭିଯୋଗ ଓ ଆଶଙ୍କା ଉପରୁ ପରଦା ଉଠାଇ ଝିଅ ଜଣକ ଗଣମାଧ୍ୟମରେ ନିଜେ କହିଛନ୍ତି ଯେ ସେ ନିଜ ଇଚ୍ଛାରେ ଭାରତରୁ ଆବୁଧାବି ଚାଲି ଯାଇଛନ୍ତି। ଆତଙ୍କବାଦ ପାଇଁ ନୁହେଁ, ବରଂ ପ୍ରେମ ପାଇଁ ସେ ଇସ୍‌ଲାମ୍‌ ଧର୍ମ ଗ୍ରହଣ କରିଛନ୍ତି। ଏଥିପାଇଁ କେହି ତାଙ୍କୁ ବାଧ୍ୟ କରିନାହାନ୍ତି।

ଅଚାନକ ଝିଅଟି ଦେଶ ଛାଡ଼ି ପଳାଇବା ପରେ ସିଆନି ବେନିଙ୍କ ବାପାମାଆ ଦିଲ୍ଳୀ ପୁଲିସ୍‌ରେ ଅଭିଯୋଗ କରି ଏକ ନିଖୋଜ ରିପୋର୍ଟ ଲେଖାଇଥିଲେ। ବେନି ସେପ୍ଟେମ୍ବର ୧୮ ତାରିଖରେ ଦିନ ୧୧ଟା ପର୍ଯ୍ୟନ୍ତ କଲେଜ୍‌ରେ କ୍ଲାସ କରି ଅପରାହ୍ନ ୨.୪୫ ସମୟରେ ଗୋ ଏୟାର୍‌ ବିମାନ ଯୋଗେ ୯ ମାସ ତଳେ ସୋସିଆଲ୍‌ ମିଡିଆରୁ ଚିହ୍ନା ହୋଇଥିବା ପ୍ରେମିକଙ୍କୁ ବିବାହ କରିବାକୁ ଆବୁଧାବି ଯାଇଥିଲେ।

Onmanorama – Manoramaonline

କେରଳର କୋଜିକୋଡେ ଅଞ୍ଚଳର ବେନି ଶନିବାର ତାଙ୍କ ବାପାମାଆ ଆଣିଥିବା ଅଭିଯୋଗକୁ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି। ସେ କହିଛନ୍ତି କି ସେପ୍ଟେମ୍ବର ୨୪ ତାରିଖରେ ସେ ତାଙ୍କ ସ୍ୱଇଚ୍ଛାରେ ଆବୁଧାବି କୋର୍ଟରେ ଇସ୍‌ଲାମ ଧର୍ମ ଗ୍ରହଣ କରିଛନ୍ତି। ସେ ଇସ୍‌ଲାମ ଗ୍ରହଣ କରିବା ପରେ ସାରା ଜୀବନ ଏହି ଧର୍ମରେ ରହିବାକୁ ଚାହାନ୍ତି ବୋଲି କହିଛନ୍ତି। ସେ ଏ ସଂପର୍କରେ ଭାରତର ଗୃହମନ୍ତ୍ରୀଙ୍କୁ ଏକ ପତ୍ର ଯୋଗେ ଜଣାଇଛନ୍ତି।

ସେ କହିଛନ୍ତି ଯେ ‘ଭାରତୀୟ ସମ୍ବିଧାନ ସମସ୍ତଙ୍କୁ ସବୁ ପ୍ରକାରର ସ୍ୱାଧୀନତା ଦେଇଛି। ଯେକଣସି ଧର୍ମରେ ବିଶ୍ୱାର ରଖିବାର ଅଧିକାର ମଧ୍ୟ ପ୍ରତ୍ୟେକ ନାଗରିକଙ୍କୁ ସମ୍ବିଧାନ ଦେଇଛି। ମୋତେ ଭାରତୀୟ ଦୂତବାସ ଡକାଇଥିଲେ। ସେଠାରେ ମୁଁ ମୋ ମନ କଥା କହିସାରିଛି। ଏଠାକୁ ମୁଁ ମୋ ନିଜ ଇଚ୍ଛାରେ ଆସିଛି ଓ ଆଉ କେବେ ଫେରିବି ନାହିଁ।’

ସମ୍ବନ୍ଧିତ ଖବର