କେରଳ ସୁନା ଚୋରା ଚାଲାଣ ମାମଲା: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର୍‌ ଧରିଲା

ଥିରୁଅନନ୍ତପୁରମ୍: କେରଳର ଥିରୁଅନନ୍ତପୁରମ୍‌ ବିମାନବନ୍ଦରରୁ ୩୦ କିଲୋ ସୁନା ଜବତ ହେବା ଘଟଣା ପରେ ରାଜ୍ୟ ରାଜନୀତି ଜୋର ଧରିଛି। ବିରୋଧୀମାନେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ଙ୍କ ଇସ୍ତଫା ଦାବି କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତକାଲି ସୀମା ଶୁଳ୍‌କ ବିଭାଗ ୟୁଏଇରୁ ଥିରୁଅନନ୍ତପୁରମ୍‌ ଆସୁଥିବା ୩୦ କିଲୋ ଚୋରା ସୁନା ଜବତ କରିଥିଲା। ଏହି ଚୋରା ଚାଲାଣ ମାମଲାରେ କେରଳ ସରକାରଙ୍କ ଆଇଟି ବିଭାଗର ଅପରେସନାଲ ମ୍ୟାନେଜର ସ୍ବପ୍ନା ସୁରେଶଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି।

ସ୍ବପ୍ନା ସୁରେଶ ମଧ୍ୟ ଗତକାଲିଠାରୁ ଫେରାର ଅଛନ୍ତି। ସେହିଭଳି ସ୍ବପ୍ନା ସୁରେଶଙ୍କ ସହ ନିବିଡ଼ ସମ୍ପର୍କ ଥିବା ପ୍ରମୁଖ ଶାସନ ସଚିବ ଏମ୍‌. ଶିବଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ବଦଳି କରିଛନ୍ତି। ଏଣୁ ସୁନା ଚୋରା ଚାଲାଣ ଘଟଣାରେ ସରକାରଙ୍କ ସମ୍ପୃକ୍ତି ରହିଛି ବୋଲି ବିରୋଧୀମାନେ ଅଭିଯୋଗ ଆଣିଛନ୍ତି। ଆଜି କେରଳର କୋଝିକୋଡେରେ ଆନ୍ଦୋଳନ ସମୟରେ ପୁଲିସ ଆନ୍ଦୋଳନକାରୀଙ୍କ ଉପରେ ଲାଠି ଚାର୍ଜ କରିଛି। ସେହିଭଳି କନ୍ନୁର ଏବଂ କୋଚିଠାରେ ପୁଲିସ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଛି। କନ୍ନୁରଠାରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରାଯାଇଛି।

ସମ୍ବନ୍ଧିତ ଖବର