ନୂଆଦିଲ୍ଲୀ: ନିକଟରେ କେରଳ ରାଜ୍ୟକୁ ଚୋରା ଚାଲାଣ ହେଉଥିବା ୧୩ କୋଟି ଟଙ୍କା ମୂଲ୍ୟର ପାଖାପାଖି ୩୦ କେଜି ଓଜନର ସୁନା ଗତ ୪ ତାରିଖରେ କେରଳର ତ୍ରିଭେନ୍ଦ୍ରମ ଆନ୍ତର୍ଜାତିକ ବିମାନ ବନ୍ଦରରୁ ସୀମା ଶୁଳ୍କ ଅଧିକାରୀମାନେ ଜବତ କରିଛନ୍ତି। ବିମାନରେ ଆସିଥିବା ଏହି ବିପୁଳ ପରିମାଣର ସୁନା ତିରୁବନନ୍ତପୁରମ୍ ଅନ୍ତର୍ଗତ ମାନାକାଉଡ଼ ସ୍ଥିତ ଏକ ବାଣିଜ୍ୟ ଦୂତାବାସକୁ ଯାଉଥିବା ଜଣାଯାଇଛି। ତେବେ କିଛି ଦିନ ତଳେ ପଣ୍ୟବାହୀ ବିମାନରେ ଆସିଥିବା ବାଣିଜ୍ୟ ଦୂତାବାସର ଏହି ସୁନାକୁ ଗୁଇନ୍ଦା ସୂଚନା ଆଧାରରେ ଅଟକ ରଖାଯାଇଛି।
ଏଠାରେ ସୂଚନାଯୋଗ୍ୟ, ସୀମା ଶୁଳ୍କ ଅଧିନିୟମ ଓ କୂଟନୈତିକ ସମ୍ପର୍କ(ଭିଏନା ଚୁକ୍ତି) ଅନୁଯାୟୀ, କୂଟନୀତିଜ୍ଞମାନଙ୍କର ଦୁଇ ପ୍ରକାର ସାମଗ୍ରୀ ହିଁ ତନଖିରୁ ମୁକ୍ତ ହୋଇଥାଏ। ସେଗୁଡ଼ିକ ହେଲା, ଆନୁଷ୍ଠାନିକ ବ୍ୟବହାର୍ଯ୍ୟ ସାମଗ୍ରୀ ଏବଂ ବ୍ୟକ୍ତିଗତ ଆସବାବପତ୍ର। ଏହି ସଦ୍ୟ ମାମଲାରେ ସଂପୃକ୍ତ ସୁନାଖଣ୍ଡଗୁଡ଼ିକ ବ୍ୟକ୍ତିଗତ ଆସବାବପତ୍ର ହିସାବରେ ଆସୁଥିଲା। ତେବେ ଗୁଇନ୍ଦା ସୂଚନା ପାଇ ସୀମା ଶୁଳ୍କ ଅଧିକାରୀମାନେ ସଂପୃକ୍ତ ଆସବାବପତ୍ରର ତନଖି କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ଲୋଡ଼ିଥିଲେ ଏବଂ ସେଗୁଡ଼ିକ ଜବତ କରିଥିଲେ। ଏବେ କେରଳ ସୁନା ଦୁର୍ନୀତି ପାଇଁ ବିରୋଧୀ ଦଳମାନେ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କୁ ଟାର୍ଗେଟ୍ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ସ୍ବପ୍ନା ସୁରେଶଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ପ୍ରଧାନ ବ୍ୟକ୍ତିଗତ ସଚିବଙ୍କ ସଂପର୍କର ପର୍ଦ୍ଦାଫାସ ହେବାପରେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ବିରୋଧୀ ଦଳ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି।
କୂଟନୀତିଜ୍ଞ ସଂଯୋଗ
ଏହି ଲୋଭନୀୟ ଚୋରା କାରବାରରେ ବେପାରୀମାନେ ବିଭିନ୍ନ କୂଟନୀତିଜ୍ଞମାନଙ୍କୁ ସଦ୍ୟ ଯୋଡ଼ିବାରେ ଲାଗିଛନ୍ତି। କାରଣ ସେମାନଙ୍କ ଆସବାବପତ୍ର ଗହଣରେ ଏହି ସୁନା ଅନାୟାସରେ ଲକ୍ଷ୍ୟସ୍ଥଳରେ ପହ଼ଞ୍ଚି ପାରୁଛି। କୌଣସି ଦେଶ ବିଦେଶରେ ରହୁଥିବା ନିଜର ଦୂତାବାସକୁ ବିଭିନ୍ନ ସାମଗ୍ରୀ ବା କାଗଜାତ ପଠାଇଥାଏ। ସେଗୁଡ଼ିକ ଆନୁଷ୍ଠାନିକ ବ୍ୟବହାର ପାଇଁ ସରକାରୀ କାଗଜପତ୍ର ହୋଇଥାଏ ଅଥବା ସଂପୃକ୍ତ କୂଟନୀତିଜ୍ଞଙ୍କର ବ୍ୟବହାର୍ଯ୍ୟ ସାମଗ୍ରୀ ବି ହୋଇଥାଏ। ଭିଏନା ଚୁକ୍ତି ଅନୁସାରେ ସେଗୁଡ଼ିକର ପରିବହନ ବେଳେ ବିମାନ ବନ୍ଦରରେ ତାହା ତନଖିମୁକ୍ତ ରଖାଯାଇଥାଏ। ଏହି ସୁବିଧାକୁ ପାଥେୟ କରି ଚୋରା ବେପାରୀମାନେ କୂଟନୀତିଜ୍ଞ ଆସବାବପତ୍ରକୁ ହିଁ ସେମାନଙ୍କ କାରବାରର ସଦ୍ୟତମ ମାଧ୍ୟମ ଭାବେ ପସନ୍ଦ କରିଛନ୍ତି।
ସୁନା ଚୋରା ଚାଲାଣର ମାଧ୍ୟମ
ଏହି ଦୁର୍ମୂଲ୍ୟ ଧାତୁର ଚୋରା ପରିବହନ ପାଇଁ ବେପାରୀମାନେ ବିଭିନ୍ନ ପ୍ରଣାଳୀ ଅନୁସରଣ କରିଥାନ୍ତି। ଚାଲାଣ ହେବାକୁ ଥିବା ସୁନାକୁ ପ୍ରଲୋଭିତ ପରିବହନକାରୀର ଶରୀର ଭିତରେ ଅଥବା ତାହାର ଆସବାବପତ୍ରରେ ଲୁକ୍କାୟିତ ରଖାଯାଇଥାଏ। ନିଜ ଶରୀରରେ ତାହା ନେବା ବେଳେ କୃତ୍ରିମ କେଶ(ଵିଗ୍) ତଳେ, ମଳଦ୍ବାର ଭିତରେ, ପୋଷାକ ତଳେ ଗହଣା ରୂପରେ, ଜୋତା ତଳେ ଅଥବା ମୋଜା ଭିତରେ କିମ୍ବା ସୁନାର ଯୌଗିକ ରୂପକୁ ପ୍ଲାଷ୍ଟିକ୍ ପ୍ୟାକେଟ୍ରେ ରଖି ଦେହରେ ଲଟକାଯାଇଥାଏ। ସେହିପରି ଆସବାବପତ୍ର ଗହଣରେ ନେଲା ବେଳେ ଅନ୍ୟାନ୍ୟ ଯନ୍ତ୍ରାଂଶ ଭିତରେ, ଅନ୍ୟ ସାମଗ୍ରୀ ଭିତରେ କିମ୍ବା ସ୍ବତନ୍ତ୍ର ଡବା ଭିତରେ ରଖାଯାଇଥାଏ। ବେଳେ ବେଳେ ମଧ୍ୟ ଧାତୁ ଚିହ୍ନଟ ଯନ୍ତ୍ରକୁ ଧୋକା ଦେବା ପାଇଁ ଚାଲାଣ ସୁନାକୁ ଅର୍ଦ୍ଧତରଳ ଅବସ୍ଥାକୁ ରୂପାନ୍ତର କରାଯାଇଥାଏ। ଅପରପକ୍ଷେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦୁର୍ନୀତିଖୋର ଅଧିକାରୀଙ୍କ ସହାୟତାରେ ଉକ୍ତ ସୁନାକୁ ବିମାନ ବନ୍ଦର ବାହାରକୁ ଅଣାଯାଇଥାଏ ଏବଂ ବିମାନ ବନ୍ଦରର ଅନ୍ୟାନ୍ୟ କର୍ମଚାରୀଙ୍କୁ ହାତ କରି ଏହାର ନିରାପଦ ପରିବହନ କରାଯାଇଥାଏ।
ଅତୀତରେ ଅନୁରୂପ ଚୋରା ଚାଲାଣ
ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟରେ ମୋଟ ୨୫୧ କେଜି ସୁନା ଜବତ ହୋଇଥିଲା ବେଳେ ଗତ ଆର୍ଥିକ ବର୍ଷରେ ଗୁଇନ୍ଦା ସୂଚନା ଆଧାରରେ ସୀମା ଶୁଳ୍କ ନିବାରଣ ଆୟୁକ୍ତ(ସିସିପି) ଅଧିକାରୀମାନେ ତାହାର ଦୁଇଗୁଣରୁ ଅଧିକ ଅର୍ଥାତ୍ ମୋଟ ୧୮୭ କୋଟି ଟଙ୍କା ମୂଲ୍ୟର ୫୪୦.୩୭ କେଜି ଓଜନର ସୁନା ଜବତ କରିଥିଲେ। ସେଥି ମଧ୍ୟରୁ କାଲିକଟ୍ ବିମାନ ବନ୍ଦରରୁ ୨୩୨ କେଜି ଓ କୋଚିନ ବିମାନ ବନ୍ଦରରୁ ପାଖାପାଖି ୨୦୦ କେଜି ସୁନା ଜବତ ହୋଇଥିବା ବେଳେ ପ୍ରକୃତ ପରିମାଣ ଏଯାଏ ସଂପୃକ୍ତ କାର୍ଯ୍ୟାଳୟ ସ୍ପଷ୍ଟ କରିନି। ସେହିପରି ୨୦୧୯ରେ ଖୋଲିଥିବା କନୌର ବିମାନ ବନ୍ଦରରୁ ୪୭.୧ କେଜି ଏବଂ ତିରୁବନନ୍ତପୁରମ୍ ବିମାନ ବନ୍ଦରରୁ ୨୦୦ କେଜିରୁ ଅଧିକ ଓଜନର ସୁନା ଜବତ ହୋଇଥିଲା।
ସୁନା ଚୋରା କାରବାରର କାରଣ ଓ ଉପାୟ
ଆମ ଦେଶରେ ସୁନା ଆମଦାନି କରିବାକୁ ହେଲେ ସାଢ଼େ ୧୨ ପ୍ରତିଶତ ଆମଦାନୀ ଶୁଳ୍କ ଏବଂ ୩ ପ୍ରତିଶତ ପଣ୍ୟ ଏବଂ ସେବା କର(ଜିଏସ୍ଟି) ଦେବାକୁ ପଡ଼ିଥାଏ। ତେଣୁ ଏ ଦିଗରେ ବିପୁଳ ପରିମାଣର ଅର୍ଥ ଫାଙ୍କିବା ଲାଗି ବାହାର ଦେଶରୁ ସୁନାର ବ୍ୟାପକ ଚୋରା ଚାଲାଣ ଜାରି ରହିଛି। ଚୋରା ଚାଲାଣକାରୀମାନେ ସାଧାରଣତଃ ବିମାନ ଯାତ୍ରୀମାନଙ୍କ ମାଧ୍ୟମରେ ସେମାନଙ୍କ ଏହି ଲୋଭନୀୟ କାରବାର ଚଳାଇଥାନ୍ତି। ଏପରିକି ସଂପୃକ୍ତ ଯାତ୍ରୀଙ୍କୁ ମାଗଣା ବିମାନ ଟିକେଟ ଓ ନଗଦ ଅର୍ଥରାଶି ଦ୍ବାରା ପ୍ରଲୋଭିତ କରାଯାଇଥାଏ। ବେଳେ ବେଳେ ସେମାନଙ୍କୁ ଏହି କାରଣ ପାଇଁ ବିଦେଶ ଗସ୍ତ କରିବାକୁ ପଡ଼ିଥାଏ। ସଂଖ୍ୟାଧିକ ମାମଲାରେ ବିଦେଶରୁ ଫେରୁଥିବା ଯାତ୍ରୀଙ୍କୁ ଏପରି ଲୋଭନୀୟ ପ୍ରସ୍ତାବରେ ଫସାଯାଇଥାଏ। ସେମାନଙ୍କ ଭିତରୁ କେହି କେହି ଚାକିରି ଅନ୍ବେଷଣରେ ପରିଦର୍ଶନ ଭିସାରେ ବିଦେଶ ଯାଇ ଭାରତ ଫେରୁଥାନ୍ତି ତ କେହି କେହି ପ୍ରବାସୀ ଭାରତୀୟ ଛୁଟି କଟାଇବା ପାଇଁ ସ୍ବଦେଶ ଫେରୁଥାନ୍ତି। ଏପରିକି କୌଣସି କ୍ଷେତ୍ରରେ ଚୋରା ଚାଲାଣ ଧରାପଡ଼ିଗଲେ ବି ସଂପୃକ୍ତ ପ୍ରଲୋଭିତ ପରିବହନକାରୀ ଚୋରାଚାଲାଣର ଉତ୍ସକୁ ଗୋପନ ରଖିଥାନ୍ତି। ବେଳେ ବେଳେ ଏହି ଚୋରା କାରବାର ପାଇଁ ସଂପୃକ୍ତ ବେପାରୀମାନେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ମଧ୍ୟ ବିପୁଳ ଅର୍ଥ ଦେଇ ହାତବାରିସି କରିଥାଆନ୍ତି। ଏଥିରେ ମୁଖ୍ୟତଃ ଗହଣା ବ୍ୟବସାୟୀମାନେ ଜଡ଼ିତ ଥିବେ ବୋଲି ଅନୁମାନ କକରାଯାଉଥିବା ବେଳେ ସେମାନେ କ୍ବଚିତ୍ ଧରାପଡ଼ିଥାନ୍ତି।