ତିରୁଅନନ୍ତପୁରମ: ଏକ ବିସ୍ମୟକାରୀ ଘଟଣାକ୍ରମେ କେରଳ ସରକାର ବରିଷ୍ଠ ଆଇଏଏସ୍ ଅଫିସର କେ ବାସୁକୀଙ୍କୁ ବିଦେଶ ବ୍ୟାପାର ସହଯୋଗ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଜୁଲାଇ ୧୫ ତାରିଖରେ ରାଜ୍ୟ ସରକାର ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ର୍ଦ୍ଦେଶନାମାରେ ଏହା ମଧ୍ୟ କୁହାଯାଇଛି ଯେ ସେ ତାଙ୍କର ବର୍ତ୍ତମାନ ଦାୟିତ୍ବ ସହିତ ବିଦେଶ ବ୍ୟାପାର ସହଯୋଗ ପ୍ରସଙ୍ଗର ଦେଖାଶୁଣା କରିବେ। ରାଜ୍ୟର ସାଧାରଣ ପ୍ରଶାସନ (ରାଜନୈତିକ) ବିଭାଗ ଏହି ପ୍ରସଙ୍ଗ ପରିଚାଳନା କରିବ। ବିକଳ୍ପ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ସାଧାରଣ ପ୍ରଶାସନ ବିଭାଗ ବାସୁକୀଙ୍କୁ ଏହି ମାମଲାରେ ସହଯୋଗ କରିବ। ଦିଲ୍ଲୀରେ ଅବସ୍ଥାପିତ କେରଳର ଆବାସିକ କମିସନର ମଧ୍ୟ ବାସୁକୀଙ୍କୁ ବିଦେଶ ବ୍ୟାପାର ପ୍ରସଙ୍ଗରେ ସହଯୋଗ କରିବାକୁ କୁହାଯାଇଛି। କେବଳ ସେତିକି ନୁହେଁ ବିଦେଶ ବ୍ୟାପାର ସହଯୋଗ ପ୍ରସଙ୍ଗରେ ସହାୟତା କରିବା ଠାରୁ ଆରମ୍ଭ କରି ବିଦେଶ ବ୍ୟାପାର ମନ୍ତ୍ରାଳୟ ଏବଂ ଭାରତୀୟ ଦୂତାବାସ ଓ ବିଦେଶରେ ଅବସ୍ଥାପିତ କାର୍ଯ୍ୟାଳୟ ସହିତ ଯୋଗସୂତ୍ର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଦେଶରେ ବସବାସ କରୁଥିବା କେରଳୀଙ୍କ ସମସ୍ୟାର ସମାଧାନ ପାଇଁ ବିଦେଶ ବ୍ୟାପାର ମନ୍ତ୍ରାଳୟ ସହିତ ଯୋଗାଯୋଗ କରିବା ନିମନ୍ତେ ପୂର୍ବରୁ ରାଜ୍ୟ ସରକାର ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। କିନ୍ତୁ ଏହା ଅନୌପଚାରିକ ବ୍ୟବସ୍ଥା। ପୂର୍ବତନ କ୍ୟାବିନେଟ ସଚିବ କେଏମ୍ ଚନ୍ଦ୍ରଶେଖର ଏହି ନିଯୁକ୍ତି ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ତର୍ଜାତୀୟ ସଂପର୍କ କେନ୍ଦ୍ରର ପରିସରଭୁକ୍ତ। ଯଦି କୌଣସି ରାଜ୍ୟକୁ ବିଦେଶରେ ସହାୟତା ଆବଶ୍ୟକ ପଡ଼େ ସେମାନେ ସବୁବେଳେ ବିଦେଶ ବ୍ୟାପାର ମନ୍ତ୍ରାଳୟ କିମ୍ବା ଭାରତୀୟ ଦୂତାବାସକୁ ଯୋଗାଯୋଗ କରିଥାନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ଏହି ଅଧିକାରୀ କେବଳ ଏକ ବିଭ୍ରାନ୍ତିକର ସ୍ଥିତିରେ ରହିବେ ବୋଲି ସେ ଉଦ୍ବେଗ ପ୍ରକାଶ କରିଛନ୍ତି।
କେରଳ ସରକାରଙ୍କ ଏହି ନିଷ୍ପତ୍ତିକୁ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ଅସ୍ବାଭାବିକ ଘଟଣା ବୋଲି କହିଛନ୍ତି। ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନ ମଧ୍ୟ ଏହି ପଦକ୍ଷେପକୁ ଏକ ଅନର୍ଥକାରୀ କାର୍ଯ୍ୟ ବୋଲି କହିବା ସହ ସମ୍ବିଧାନର କେନ୍ଦ୍ର ତାଲିକାକୁ ଉଲ୍ଲଂଘନ କରୁଛି ବୋଲି ମତ ଦେଇଛନ୍ତି। କେରଳକୁ ଏକ ପୃଥକ ଦେଶ କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଛନ୍ତି କି ବୋଲି ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପଚାରିଛନ୍ତି। ଏହା ଏକ ବିପଜ୍ଜନକ ଉଦାହରଣ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/hkhffhfhk.jpg)