ନୂଆଦିଲ୍ଲୀ: ‘ଦ କେରଳ ଷ୍ଟୋରି’ ଏକ ବିବାଦୀୟ ଚଳଚ୍ଚିତ୍ର। ମହିଳାଙ୍କ ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହେଲେ ମହିଳାଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇପାରେ। ତେଣୁ ଏଠାରେ ଏହି ଚଳଚ୍ଚିତ୍ରକୁ ପ୍ରଦର୍ଶନ କରିବା ଉଚିତ ନୁହେଁ ବୋଲି କେରଳ ସରକାର ଆହ୍ବାନ ଦେଇଛନ୍ତି। କେରଳର ପ୍ରାୟ ୩୨ ହଜାର ମହିଳାଙ୍କୁ ପ୍ରଲୋଭିତ କରି ସିରିୟା ଏବଂ ଆଫଗାନିସ୍ତାନରେ ଆତଙ୍କ ଖେଳାଉଥିବା ସଂଗଠନ ଇସଲାମିକ ଷ୍ଟେଟରେ ସାମିଲ କରିବା ଭଳି କାହାଣୀ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି। କିନ୍ତୁ ସରକାରୀ ରେକର୍ଡରେ ସେଭଳି କିଛି ତଥ୍ୟ ନଥିବାବେଳେ ଏଭଳି ଗୁଜବ କାହାଣୀ ଅଶାନ୍ତି ସୃଷ୍ଟି କରିବ ବୋଲି କେରଳ ସରକାର କହିଛନ୍ତି। ୟୁନାଇଟେଡ ଡେମୋକ୍ରେଟିକ ଫ୍ରଣ୍ଟ ଓ କଂଗ୍ରେସ ପକ୍ଷରୁ ବି ଏହି ଚଳଚ୍ଚିତ୍ର ପ୍ରଦର୍ଶନକୁ ବିରୋଧ କରାଯାଇଛି। ତେବେ ଅନ୍ୟପକ୍ଷରେ ସିନେମା ହଲ ମାଲିକମାନଙ୍କ ସଂଗଠନ (ଫିଲ୍ମ ଏକ୍ସିବିଟରସ ୟୁନାଇଟେଡ ଅର୍ଗାନାଇଜେସନ ଅଫ କେରଳ) ଫ୍ୟୁକ ପକ୍ଷରୁ କୁହାଯାଇଛି ଯେ, ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଲୋକେ ବ୍ୟଗ୍ର ଅଛନ୍ତି।

Advertisment

କୋଚିରେ ନିଜର ଥିଏଟର କମ୍ପ୍ଲେକ୍ସ ଥିବା ତଥା ଫ୍ୟୁକର ସୁରେଶ ସେନୋୟ ନାମକ ଜନୈକ ଅଧିକାରୀ କହିଛନ୍ତି ଯେ, ଏହି ଚଳଚ୍ଚିତ୍ରକୁ ଲୋକେ ଯେ କୌଣସି ମାଧ୍ୟମରେ ଦେଖିବା ପାଇଁ ଇଚ୍ଛୁକ ଅଛନ୍ତି। ତେଣୁ କେରଳ ସରକାରଙ୍କ ଏଭଳି ପଦକ୍ଷେପ ଗ୍ରହଣୀୟ ନୁହେଁ। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଗତ ମାସ ୩୦ ତରିଖରେ ଫେସବୁକରେ ପୋଷ୍ଟ କରି କହିଛନ୍ତି ଯେ, ସଂଘ ପରିବାର ଦ୍ବାରା ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। କେବଳ ମିଛକୁ ପ୍ରସାରଣ କରିବା  ଏହାର ଉଦ୍ଦେଶ୍ୟ ରହିଛି। କେରଳ ଏକ ଧାର୍ମିକ ତଥା ଧର୍ମନି‌ରପେକ୍ଷ ରାଜ୍ୟ। ଧାର୍ମିକ ଉଗ୍ରବାଦର ସ୍ଥାନ ଦେଇ କେରଳକୁ ଘୃଣିତ କରି ରାଜନୀତି କରାଯିବାକୁ ଚେଷ୍ଟା କରାଯାଉଛି। ସେହିପରି କେରଳର ସଂସ୍କୃତି ଓ ଯୁବ ବ୍ୟାପାର ମନ୍ତ୍ରୀ ସାଜି ଚେରିଆନ ଫେସବୁକରେ ପୋଷ୍ଟ କରି କହିଛନ୍ତି ଯେ, କରେଳରେ ସାମ୍ପ୍ରଦାୟିକ ସଦଭାବ ରହିଛି। ଏଭଳି ଚଳଚ୍ଚିତ୍ର ପ୍ରଦର୍ଶନ କରି ସଂଘ ପରିବାର ପକ୍ଷରୁ ଧର୍ମନିରପେକ୍ଷତାକୁ ନଷ୍ଟ କରିବାକୁ ଅପଚେଷ୍ଟା କରାଯାଉଛି, ଯାହାକି ସମାଜରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବ। ତେଣୁ ଏହାର ପ୍ରଦର୍ଶନକୁ ବାରଣ କରିବା ଆବଶ୍ୟକ।