କେଟି ଜଲିଲଙ୍କ ‘ଆଜାଦ କାଶ୍ମୀର’ ମନ୍ତବ୍ୟକୁ କେରଳ ରାଜ୍ୟପାଳଙ୍କ ନିନ୍ଦା

ତିରୁଅନନ୍ତପୁରମ୍ : କେରଳର ଶାସକ ବାମ ଗଣତାନ୍ତ୍ରିକ ମେଣ୍ଟ (ଏଲ୍‌ଡିଏଫ୍‌)ର ନେତା କେଟି ଜଲିଲଙ୍କ ‘ଆଜାଦ କାଶ୍ମୀର’ ମନ୍ତବ୍ୟକୁ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ନିନ୍ଦା କରିଛନ୍ତି। କେଟି ଜଲିଲ ତାଙ୍କର ଏକ ଫେସ୍‌ବୁକ୍ ପୋଷ୍ଟ୍‌ରେ ଜମ୍ମୁ-କାଶ୍ମୀରକୁ ‘ଭାରତ-ଅଧିକୃତ ଜମ୍ମୁ-କାଶ୍ମୀର’ ଏବଂ ପାକିସ୍ତାନ-ଅଧିକୃତ କାଶ୍ମୀରକୁ ‘ଆଜାଦ କାଶ୍ମୀର’ ବୋଲି ଲେଖିଛନ୍ତି।

ଏହା ଉପରେ କେରଳ ରାଜ୍ୟପାଳ ଖାନ୍ କହିଲେ ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏପରି ମନ୍ତବ୍ୟ ଦେବା ପୂର୍ବରୁ ଏମାନେ କିଛି ପଢ଼ିଛନ୍ତି, ଜାଣିଛନ୍ତି ନା କିଛି ନ ଜାଣି ଏମିତି ଲେଖିପକାଉଛନ୍ତି? ଏହା ସମ୍ପୂର୍ଣ୍ଣ ଅଗ୍ରହଣୀୟ। ଜଣେ କେରଳୀ ନେତାଙ୍କର ଏପରି ମନ୍ତବ୍ୟ ମୋତେ ଆଘାତ ଦେଇଛି ବୋଲି ଖାନ୍ କହିଛନ୍ତି।

ସିପିଆଇ(ଏମ୍) ଜଲିଲଙ୍କ ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛି। ଦଳୀୟ ବିଧାୟକ ଏସି ମୋଇଦିନ କହିଛନ୍ତି ଯେ ଏହା ଜଲିଲଙ୍କ ନିଜ ମତ, ଦଳର ମତ ନୁହେଁ। ଜଲିଲଙ୍କୁ ତାଙ୍କ ମନ୍ତବ୍ୟକୁ ନେଇ ଉପୁଜିଥିବା ବିବାଦ ଉପରେ ପଚରାଯିବାରୁ ସେ କହିଲେ ଯେ ତାଙ୍କ କଥାକୁ ଭୁଲ୍ ବ୍ୟାଖ୍ୟା କରାଯାଉଛି। ଯେଉଁମାନେ ଆଜାଦ କାଶ୍ମୀରର ଅର୍ଥ ବୁଝିନାହାନ୍ତି, ତାଙ୍କ ପ୍ରତି ତାଙ୍କର ସମ୍ବେଦନା ଅଛି ବୋଲି ସେ କହିବାକୁ ଚାହୁଥିବା ପ୍ରକାଶ କରିଛନ୍ତି। ତେବେ ତାଙ୍କ ମନ୍ତବ୍ୟର ଅନ୍ୟ ଅଂଶ ‘ଭାରତ ଅଧୀନ ଜମ୍ମୁ-କାଶ୍ମୀର’ ବିଷୟରେ ସେ କିଛି କହି ନ ଥିଲେ।

କେନ୍ଦ୍ର ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ କେରଳୀ ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ସରକାର ଏହା ପରେ ନରବ ରହିବା ଏବଂ ତାଙ୍କ ବିଧାୟକଙ୍କୁ ମନ୍ତବ୍ୟ ପ୍ରତ୍ୟାହାର ପାଇଁ ନ କହିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଦେଶ-ବିରୋଧୀ ମନ୍ତବ୍ୟ ଦେଇଥିବା ସମ୍ପୃକ୍ତ ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଏବିଭିପି (ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ) ପକ୍ଷରୁ ତିରୁଅନନ୍ତପୁରମ୍ ସିଟି ପୁଲିସ କମିସନଙ୍କ ପାଖରେ ଅଭିଯୋଗ ଦାଏର କରାଯାଇଛି।

ସମ୍ବନ୍ଧିତ ଖବର